କନକ ବ୍ୟୁରୋ: ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ । ଦରମା ବୃଦ୍ଧି, ବୋନସ ଦାବିରେ ଧାରଣାରେ ବସିବେ । ଆସନ୍ତାକାଲି ଦାବି ନଶୁଣିଲେ ମଙ୍ଗଳବାରଠୁ ହେବ ଝାଡୁ ବନ୍ଦ ଆନ୍ଦୋଳନ । ତେବେ ଚାରି ଦଫା ଦାବି ନେଇ ଆସନ୍ତାକାଲି କାମ ସାରି ବିଏମସି ଅଫିସରେ ଧାରଣାରେ ବସିବା ନେଇ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ ମଜଦୁର ସଂଘ  । ମୃତ୍ୟୁ ପରେ ଅନୁଦାନ, ଇପିଏଫ୍, ଇଏସଆଇ ଏବଂ ଦରମା ବୃଦ୍ଧି ସାଙ୍ଗକୁ ବୋନସ ଦାବିରେ ଏହି ଧାରଣା ଦିଆଯିବ । ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପିଏଚଆର୍, ପିଏମଆର, ଆୱାର ଲ୍ୟାଣ୍ଡ, ହର୍ଷବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏକାଠି ହେବା ନିଷ୍ପତ୍ତି ନେଇଛନ୍ତି । ତେବେ ଗତବର୍ଷ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୋନସ୍ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବୋନସ୍ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଗୋଟେ ପଟେ ସାମାଜିକ ସୁରକ୍ଷା ମିଳୁନଥିବା ବେଳେ ଶ୍ରମିକ ମାରଣ ନୀତି ବିଏମସି ଆପଣାଉଥିବା ଅଭିଯୋଗ କରି ସଫେଇ କର୍ମଚାରୀ ମାନେ ଆସନ୍ତାକାଲି ସଫେଇ କାମ ସାରି ଧାରଣାରେ ବସିବା ନିଷ୍ପତ୍ତି ନେଇଛନ୍ତି । ଯଦି ଦାବି ନଶୁଣାଯାଏ ତା ହେଲେ ମଙ୍ଗଳବାରଠାରୁ ଝାଡୁବନ୍ଦ କରିବା ନିଷ୍ପତ୍ତି ନେଇଥିବା କୁହାଯାଇଛି । 

Advertisment