କନକ ବ୍ୟୁରୋ : ଖଣି ଖାଦାନ ଭରା ଯୋଡ଼ାରେ ମ୍ୟୁନିସିପାଲଟିରେ ପ୍ରହସନ ପାଲଟିଛି ପରିମଳ ବ୍ୟବସ୍ଥା । ପୌର ପରିଷଦରରେ ଗଦା ହୋଇରହୁଛି କୁଢ଼କୁଢ଼ ଆବର୍ଜନା । ବିଭାଗୀୟ କାର୍ଯ୍ୟଳୟରେ ଖତ ଖାଉଛି ସଫେଇ ଗାଡ଼ି । ମାସକୁ ଲକ୍ଷଲକ୍ଷ ଟଙ୍କା ସଫେଇ ଆଳରେ ପୌରପରିଷଦ ଖର୍ଚ୍ଚ କରୁଥିବା ବେଳେ ସଫେଇ କେବଳ କାଗଜ କଲମରେ ଚାଲିଛି ।
ଯୁଆଡ଼େ ଦେଖିବ କୁଢ଼କୁଢ଼ ଅଳିଆ ଆବର୍ଜନା । ଅଳିଆ ଗଦାରେ ପୋତି ହୋଇଯାଇଛି କେନ୍ଦୁଝର ଜିଲ୍ଲା ଯୋଡ଼ାର ୧୪ଟି ୱାର୍ଡ । ପ୍ରତ୍ୟେକ ୱାର୍ଡର ସଫେଇ ପାଇଁ ଠିକାସଂସ୍ଥା ପଛରେ ମାସିକ ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି ବିଭାଗ । ହେଲେ ନା ଆବାର୍ଜନା ଉଠୁଛି ନା ସଫା ହେଉଛି ଡ୍ରେନ୍ । ବ୍ଲିଚିଂ ପାଉଡ୍ର, ମଶାତେଲ, ଫିନାଇଲ ସିଞ୍ଚନ ସବୁ ଚାଲିଛି କେବଳ କାଗଜ କଲମରେ ।
ଯୋଡ଼ା ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ସଫେଇ ଗାଡ଼ି ଗୁଡ଼ିକ ବ୍ୟବହାର ହେଉନି । କେବଳ କିଛି ଅଞ୍ଚଳରେ ଗୀତ ବଜାଇ ବୁଲୁଛି, ନହେଲେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ପଡ଼ିପଡ଼ି ଖତ ଖାଉଛି । ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍ ଭାଙ୍ଗିଗଲାଣି । ମଇଳା ପାଣି ନିଷ୍କାସିତ ହୋଇନପାରି ମଶା ବଂଶ ବୃଦ୍ଧି ପାଉଛି । ଅନ୍ୟପଟେ ଯୋଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ କହୁଛନ୍ତି ସଫେଇ କାର୍ଯ୍ୟ ଠିକଠାକ ଚାଲିଛି ।
ଗୋଟିଏ ପଟେ ସଫେଇକୁ ନେଇ ପୌର କର୍ତ୍ତୃପକ୍ଷ ସନ୍ତୁଷ୍ଟି ପ୍ରକାଶ କରୁଛନ୍ତି । ଅନ୍ୟପଟେ ୱାର୍ଡର ବାସ୍ତବିକ ସ୍ଥିତି ଏବେ ସମସ୍ତଙ୍କ ସାମ୍ନାରେ । କେବେ ନିଜ ଭ୍ରମରୁ ବାହରି ବିଭାଗୀୟ ଅଧିକାରୀ ସହରର ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବେ ତାକୁ ଅପେକ୍ଷା ।