କନକ ବ୍ୟୁରୋ :ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି ୩ ଛାତ୍ରୀ । ପାଠପଢ଼ା ସହ ଜାରି ରହିଛି ନିଃସ୍ବାର୍ଥପର ସେବା । ମହିଳାଙ୍କ ସ୍ୱଚ୍ଛତା ପାଇଁ ପରିବେଶ ଉପଯୋଗୀ ଜୈବିକ ସାମଗ୍ରୀରେ ସାନିଟାରି ପ୍ୟାଡ୍ ପ୍ରସ୍ତୁତ କରି ରାଜ୍ୟସ୍ତରରେ ଗୌରବ ଅର୍ଜନ କରିଛନ୍ତି ବ୍ରହ୍ମପୁରର ତିନି ଫାର୍ମାସୀ ଛାତ୍ରୀ ।
ଜୈବିକ ସାମଗ୍ରୀରୁ ସାନିଟାରି ପ୍ୟାଡ୍
ବସ୍ତି ମହିଳା ଓ କିଶୋରୀଙ୍କୁ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଏକ ନୂଆ ରାସ୍ତା ଦେଖାଇଛନ୍ତି ବ୍ରହ୍ମପୁର ସହରର ତିନି ଛାତ୍ରୀ । ସ୍ନେହା ଗୌଡ଼, ରେଶ୍ମା ରାଣୀ ଶତପଥୀ ଓ ଅମ୍ରିତା ସ୍ୱାଇଁ । ଏକ ଘରୋଇ ଫାର୍ମାସି ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ଏହି ଛାତ୍ରୀମାନଙ୍କ ଚିନ୍ତାଧାରା ଓ ଲକ୍ଷ୍ୟ ଏକ । ସହରର ବିଭିନ୍ନ ବସ୍ତି ବୁଲି ମାସିକ ଋତୁସ୍ରାବ ଜନିତ ସଂକ୍ରମଣ ରୋଗ ସମ୍ପର୍କରେ ମହିଳାଙ୍କୁ ସଚେତନ କରୁଛନ୍ତି । କେବଳ ସେତିକି ନୁହେଁ, ପରିବେଶ ଉପଯୋଗୀ ତଥା ଜୈବିକ ସାମଗ୍ରୀରୁ ପ୍ରସ୍ତୁତ କରୁଛନ୍ତି ସାନିଟାରି ପ୍ୟାଡ୍ ।
ଅମ୍ରିତା କଦଳୀ ମଞ୍ଜା ଖୋଳପା, ରେଶ୍ମା ଆଖୁ ଚୋପା ଓ ସ୍ନେହା କପା, ହଳଦୀ ଓ ନିମପତ୍ର ଗୁଣ୍ଡ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ସାନିଟାରି ପ୍ୟାଡ୍ । ଏହି ପ୍ୟାଡ୍ ବାରମ୍ବାର ବ୍ୟବହାରଯୋଗ୍ୟ । ପ୍ୟାଡ୍ ଗୁଡ଼ିକୁ ଏମାନେ ମାଗଣାରେ ବିଭିନ୍ନ ବସ୍ତିରେ ବାଣ୍ଟୁଛନ୍ତି । ନିକଟରେ ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଛାତ୍ରୀମାନଙ୍କ ପ୍ୟାଡ୍ ପ୍ରସ୍ତୁତ ଶୈଳୀକୁ ପ୍ରଶଂସା କରିବା ସହ “ଦି ଇନୋଭେଟରସ” ସମ୍ମାନରେ ସମ୍ମାନିତ କରିଛନ୍ତି । ଛାତ୍ରୀମାନଙ୍କ ଏହି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ମହିଳାଙ୍କ ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ଭଳି ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।