ଓଡ଼ିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ସନ୍ଦୀପ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମାନବ ସମ୍ବଳ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକ ବିକାଶ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟର ଅଭିଜ୍ଞତା ରହିଅଛି | ଆହୁରି ମଧ୍ୟ ସନ୍ଦୀପ ପଟ୍ଟନାୟକଙ୍କର କାର୍ଯ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚାଳନା, ସହଭାଗିତା ଏବଂ ଔଦ୍ୟୋଗିକ ସଂସ୍କୃତିର ସଠିକ ପରିଚାଳନା ଆଦି କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଅଛି | ଓଏଚପିସିରେ ଯୋଗଦେବା ପୂର୍ବରୁ ସନ୍ଦୀପ ପଟ୍ଟନାୟକ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ର ମାନବ ସମ୍ବଳ ଏବଂ ଦକ୍ଷତା ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ସୁଚାରୁ ରୂପରେ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି | ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ HALକୁ ଅନେକ ପ୍ରଶଂସନୀୟ ସ୍ୱୀକୃତି ମିଳିବା ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଆସୋକାମ ସ୍ୱର୍ଣ୍ଣିମ ପୁରସ୍କାରରେ ସମ୍ମାନୀତ କରାଯାଇଛି | ସନ୍ଦୀପ ପଟ୍ଟନାୟକ ଏରୋସ୍ପେସ ଏବଂ ଆଭିଏସନ ସେକ୍ଟର ସ୍କିଲ କାଉନସିଲର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି | ଶ୍ରୀଯୁକ୍ତ ପଟ୍ଟନାୟକଙ୍କର କର୍ମମୟ ଜୀବନ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ଼ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବରେ ଆରମ୍ଭ ହୋଇଥିଲା | 

Advertisment

ସନ୍ଦୀପ ପଟ୍ଟନାୟକ ମାନବ ସମ୍ବଳ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି | ଏତଦବ୍ୟତୀତ ସନ୍ଦୀପ ପଟ୍ଟନାୟକ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଯେପରିକି ଆଇଆଇଏମ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଏବଂ ଏକ୍ସଏଲଆରଆଇରୁ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି | ସନ୍ଦୀପ ପଟ୍ଟନାୟକଙ୍କର ବୃତ୍ତିଗତ ସଫଳତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ପ୍ରଶାସନିକ ଉତ୍କର୍ଷ ପୁରସ୍କାର, ପବ୍ଲିକ ସେକ୍ଟର ନେତୃତ୍ୱ ପୁରସ୍କାର, ରୋଟାରୀ ଆନ୍ତର୍ଜାତିକ ପୁରସ୍କାର ଏବଂ ଭାସେନ୍ଦୁ ଭାରତୀ ପୁରସ୍କାରରେ ସମ୍ମାନୀତ କରାଯାଇଛି | ଜଣେ ସୁଦକ୍ଷ ବକ୍ତା ଏବଂ ନେତୃତ୍ବର ଅଧିକାରୀ ଭାବରେ ସନ୍ଦୀପ ପଟ୍ଟନାୟକଙ୍କୁ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ପେଶାଦାର ମଞ୍ଚରେ ସମ୍ମାନୀତ କରାଯାଇଛି | ଓଏଚପିସି ପକ୍ଷରୁ ନୂତନ ଭାବରେ ଯୋଗଦେଇଥିବା ମାନବ ସମ୍ବଳ ନିର୍ଦ୍ଦେଶକ ସନ୍ଦୀପ ସନ୍ଦୀପ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି  |