କନକ ବ୍ୟୁରୋ: ଦଲୀପ ଟ୍ରଫି ଅନ୍ତଃଜୋନ୍ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଘୋଷିତ ପୂର୍ବାଞ୍ଚଳ ଦଳରେ ମାତ୍ର ଜଣେ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ଓଡ଼ିଶାର ଆଗଧାଡିର ବ୍ୟାଟ୍ର ସନ୍ଦୀପ୍ ପଟ୍ଟନାୟକ ୧୫ ଜଣିଆ ଦଳରେ ରହିଥିବା ବେଳେ ରାଜ୍ୟର ଅନ୍ୟ ଦୁଇ ଯୁବ ବ୍ୟାଟର୍ ଆଶୀର୍ବାଦ ସ୍ବାଇଁ ଓ ସ୍ବସ୍ତିକ୍ ସାମଲ ଷ୍ଟାଣ୍ଡବାଏ ତାଲିକାରେ ରହିଛନ୍ତି । ଘୋଷିତ ଦଳରେ ଈଶାନ କିଶନ ଅଧିନାୟକ ଓ ଅଭିମନ୍ୟୁ ଈଶ୍ବରନ୍ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦୁଇ ଟେଷ୍ଟ୍ ତାରକା ମହମ୍ମଦ ସାମି ଓ ଆକାଶ ଦୀପ ମଧ୍ୟ ରହିଛନ୍ତି ।
୧୪ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଷ୍ଟାଣ୍ଡ୍ ବାଏ ତାଲିକାରେ ରଖାଯାଇଛି । ଏହି ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁର ବିସିସିଆଇ ଉତ୍କର୍ଷ କେନ୍ଦ୍ରଠାରେ ଖେଳାଯିବ । ପୂର୍ବାଞ୍ଚଳ ଏହାର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ତାରିଖରୁ ଉତ୍ତରାଞ୍ଚଳ ବିପକ୍ଷରେ ଖେଳିବ । ଏହି ସଫଳତା ପାଇଁ ଓସିଏ ସଂପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତା ୩ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି ।