କନକ ବ୍ୟୁରୋ : ସନ୍ଦୀପ ଘୋଷଙ୍କୁ ଶକ୍ତ ଚାପୁଡା । ଜନତା ମାରିଲେ ଚାପୁଡା । ସିବିଆଇ କୋର୍ଟରେ ହାଜର କରିବାକୁ ନେଉଥିଲା, ଆଉ ଏହି ସମୟରେ ଉତ୍ୟକ୍ତ ଲୋକଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ଚାପୁଡା ମାରିଛି। କୋଲକାତାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କୁ ସୋମବାର ସିବିଆଇ ଗିରଫ କରିଛି। ତାଙ୍କୁ ମଙ୍ଗଳବାର ଅଲିପୁର କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଲୋକେ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏଥିମଧ୍ୟରୁ କେହି ଜଣେ ବିକ୍ଷୋଭକାରୀ ଚାପୁଡ଼ା ମାରିଛନ୍ତି। 

ଏହାସହ ଉତ୍ତ୍ୟକ୍ତ ଲୋକେ ଚୋର-ଚୋର ନାରା ମଧ୍ୟ ଦେଇଥିଲେ। କୋର୍ଟ ବାହାରେ ଅନେକ ଲୋକ ସନ୍ଦୀପ ଘୋଷଙ୍କୁ ଫାଶୀ ଦେବାକୁ ଦାବି କରୁଥିଲେ। ଏହି ସମୟରେ କୋର୍ଟ ପରିସରରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା କମ୍ ଥିଲା। ସନ୍ଦୀପ ଘୋଷଙ୍କୁ କୋର୍ଟକୁ ନେବା ପାଇଁ ସୁରକ୍ଷାକର୍ମୀଙ୍କୁ ଅନେକ ଆହ୍ୱାନକୁ ସାମ୍ନା କରିବାକୁ ପଡ଼ିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ନିୟୋଜିତ କରାଯାଇଥିଲା। ଏହାପରେ ସନ୍ଦୀପଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟ ପରିସରରୁ ବାହାରକୁ ନିଆଯାଇଥିଲା। ସେଠାରେ ବିକ୍ଷୋଭକାରୀଙ୍କ ଭିଡ଼ ଜମିଥିଲା। ସନ୍ଦୀପଙ୍କୁ ବାହାରକୁ ନିଆଯାଉଥିବା ବେଳେ ଜଣେ ବିକ୍ଷୋଭକାରୀ ତାଙ୍କୁ ଚାପୁଡ଼ା ମାରିଥିଲେ। 

ଅଗଷ୍ଟ ୯ର ଘଟଣା ପରଠାରୁ ସାରା ଦେଶରେ ଲଗାତାର ପ୍ରତିବାଦ ଚାଲିଛି। ଏହାପରେ ହସ୍ପିଟାଲ ତରବରିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହସ୍ପିଟାଲର ଅଧୀକ୍ଷକଙ୍କୁ ହଟାଇଥିଲେ ମଧ୍ୟ ସନ୍ଦୀପ ଏହି ପଦରେ ରହିଥିଲେ। କିଛି ଦିନ ପରେ ତାଙ୍କୁ ନ୍ୟାସନାଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଲଗାତାର ବିରୋଧ ଯୋଗୁଁ ତାଙ୍କୁ ମଧ୍ୟ ସେଠାରୁ ହଟାଇ ଦିଆଯାଇଛି। ଦୁର୍ନୀତି ଅଭିଯୋଗରେ ସିବିଆଇ ସୋମବାର ତାଙ୍କୁ ଗିରଫ କରିଛି। ଏହାପରେ ମଙ୍ଗଳବାର ମମତା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦୀପ ଘୋଷଙ୍କୁ ନିଲମ୍ବିତ କରିଛନ୍ତି।