କନକ ବ୍ୟୁରୋ : କିଏ ପଥର ଖୋଳି ଖୋଳି ଖଣି ଖୋଳ କରିଦେଲାଣି ତ ପୁଣି କିଏ ବାଲି ଲୁଟି ନଈରେ ଘାଇ କଲାଣି । ଆଉ କିଛି ମୋରମ୍ ବିକି ମାଲାମାଲ ହୋଇଗଲେଣି । ତେଣୁ ଦଲାଲ, ମାଫିଆ ଓ ଖଣି ଚୋରଙ୍କୁ ଆଉ ନିସ୍ତାର ନାହିଁ । ନଈବାଲି, ମୋରମ୍ ଓ ମାଙ୍କଡ଼ା ପଥର ମାଫିଆଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ।

Advertisment

ଗତ ୭ ତାରିଖରୁ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୁଲିସର ମିଳିତ ରେଡରେ ୪୫୬ଟି ମାମଲା ରୁଜୁ ହୋଇଛି । ୫୨୪ଟି ବାଲି ବୋଝେଇ ଟ୍ରକ, ଟିପ୍ପର ଓ ହାଇୱା ଜବତ କରାଯାଇଛି । ଏହି ଘଟଣାରେ ୩୬୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ, ୧୦୦ରୁ ଅଧିକଙ୍କୁ ନୋଟିସ୍ ଜାରି କରାଯାଇଛି । ତେବେ ମାଫିଆଙ୍କ ମୁଳପୋଛ ଯାଏଁ ଏହି ଧରପଗଡ଼ ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି । 
ବେଆଇନ ଭାବେ ରାଜ୍ୟରେ ଚାଲିଥିବା ଲଘୁ ଖଣିଜ ଲୁଟେରାଙ୍କ ବାବଦରେ ଜନ ସାଧାରଣ ଚାହିଁଲେ ପୁଲିସକୁ ଖବର ଦେଇ ପାରିବେ । ଯେଉଁ ଅଞ୍ଚଳରେ ମାଫିଆ ଦବଦବା ଜାରି ରଖିଛନ୍ତି, ସେ ସବୁକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ମାତ୍ରାଧିକ କାର୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ଡିଜିପି । 

ରାଜ୍ୟର ବିଭିନ୍ନ ବାଲିଘାଟ, ପଥର ଖଣି ଏବଂ ମୋରମ ଖାଦାନ ଏବେ ମାଫିଙ୍କ କବଜାରେ ରହିଛି । ମୁଷ୍ଠିମେୟ ଲୋକ ପୋଷା ଗୁଣ୍ଡାଙ୍କୁ ରଖି ବିଭିନ୍ନ ସ୍ଥାନରେ ଜୋର ଜବରଦସ୍ତ ଖଣିଜ ସମ୍ପଦ ଲୁଟ କରୁଛନ୍ତି । ତେବେ ଦେଖିବାର କଥା କେବଳ ଗାଡ଼ି ଓ ଲୁଟେରାଙ୍କୁ ଗିରଫ କରାଯାଉଛି ନା ମାଫିଆଙ୍କ ପଛରେ ଥିବା ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚିପାରୁଛି ପୁଲିସ ?