କନକ ବ୍ୟୁରୋ:   ଜୁନ୍‌ ମାସରୁ ବାଲି ଉତ୍ତଳନ ବନ୍ଦ କରିଛନ୍ତି ରାଜ୍ୟ ସରକାର । ହେଲେ ବେଆଇନ୍‌ ଭାବେ ଝାରସୁଗୁଡ଼ା ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣ । ସଦର ମହକୁମାଠାରୁ ୫ କିମି ଦୂର ଜମେରା ଗାଁ ନିକଟ ଇବ୍‌ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ବୋହି ନେଉଛନ୍ତି ମାଫିଆ । ସବୁ ଦେଖି ପ୍ରଶାସନ ଚୂପ୍ ବସିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଜମେରା ଇବ ନଦୀ ଘାଟକୁ ବାଲି ଉଠାଣ ଲାଗି ପ୍ରଶାସନର ଅନୁମତି ନାହିଁ । ମାଫିଆମାନେ ମନଇଛା ବାଲି ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ମୁନାଫା କମାଉଥିବା ଅଭିଯୋଗ ହୋଇଛି ।

 ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣିବିଭାଗ, ରାଜସ୍ୱ ବିଭାଗ କି ପୁଲିସ କାହାକୁ ଦେଖାଯାଉନାହିଁ । ତେଣୁ ଟ୍ରାକ୍ଟର ପିଛା ୩ରୁ ୪ ହଜାର ଟଙ୍କାରେ ବାଲି ବିକି ପକେଟ୍‌ ଗରମ କରୁଛନ୍ତି ମାଫିଆ । ଏପଟେ ରାଜସ୍ୱ ହରାଉଛନ୍ତି ସରକାର । ଅନ୍ୟପଟେ ବିଭିନ୍ନ ସମୟରେ ଚେକିଂ ଚାଲିଛି ଓ କିଛି ଟ୍ରାକ୍ଟର ସିଜ୍‌ ହୋଇଥିବା କହିଛନ୍ତି ଝାରସୁଗୁଡା ଜିଲ୍ଲା ଖଣି ଅଧିକାରୀ । ଝାରସୁଗୁଡ଼ାରେ ଚର୍ଚ୍ଚା ହେଉଥିବା ଏମିତି ପ୍ରଶ୍ନର ଉତ୍ତର ପ୍ରଶାସନ ରଖିଲା ନିହାତି ଜରୁରୀ ।