କନକ ବ୍ୟୁରୋ: ଯିଏ କାର୍ଯ୍ୟାନୁଷ୍ଠାନ ନେଲା ତା’ ଉପରେ ଦାଉ ସାଧିଲେ ବାଲି ମାଫିଆ  । ବାଟରେ ଅଫିସର ଆସିଲେ ବି ମାନିଲେନି । ଏପରିକି ଜୀବନରୁ ମାରିଦେବାକୁ ଚେଷ୍ଟା କରିବାକୁ ବି ପଛାଉନାହାନ୍ତି। ଏଭଳି  ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରେ ।

Advertisment

କପ୍ତିପଦା ଥାନା ଅଞ୍ଚଳରେ ଥିବା ଏକାଧିକ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ଖବର ପାଇଥିଲେ । ସେ ନିଜ କାର୍‌  ଯୋଗେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ାଉ ପାଇଁ ଯାଇଥାଆନ୍ତେ । ହେଲେ ସେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହଠାତ୍‌ ୨୦ରୁ ୨୫ ଜଣ ଲୋକ ତାଙ୍କ କାର୍‌କୁ ଘେରିଯାଇ ଗାଳିଗୁଲଜ କରିଥିଲେ । ଏପରିକି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । କାର୍ଯ୍ୟାଳୟ ଗେଟ୍ ବନ୍ଦ ଥିବାରୁ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ ଜୀବନ ବିକଳରେ କାର୍‌ ନେଇ କପ୍ତିପଦା ଥାନାକୁ ପଳାଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଥାନା ପାଖରେ ପହଞ୍ଚି ଯାଇଥିଲେ । ଥାନା ଫାଟକ ବନ୍ଦ ଥିବାରୁ ଶ୍ରୀ ମାଝୀ ଭିତରକୁ ଯାଇ ପାରିନଥିଲେ । ଏତିକିବେଳେ ଦୁର୍ବୃତ୍ତମାନେ ତାଙ୍କ କାର୍‌ ଉପରକୁ ପଥର ଫିଙ୍ଗି ଭାଙ୍ଗି ଦେଇଥିଲେ । ଖାଲି ଏତିକି ନୁହେଁ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀଙ୍କୁ କାର୍‌ ଭିତରୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ । ଏହି ସମୟରେ ଥାନା କର୍ମଚାରୀମାନେ ଗେଟ୍ ଖୋଲି ଆସିଯିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ ।

ଘଟଣା ବାବଦରେ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି । କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ତଦନ୍ତ କରୁଛନ୍ତି । ଥାନାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ନାଏକ କହିଛନ୍ତି । ଏହି ଘଟଣା ପୂର୍ବରୁ ମଧ୍ୟ  ଗତବର୍ଷ ଜାନୁଆରି ମାସରେ କପ୍ତିପଦା ଥାନା ଅଧିକାରୀ ଏବଂ ଡିସେମ୍ବର ମାସରେ ତହସିଲଦାରଙ୍କୁ  ବାଲି ମାଫିଆ  ଆକ୍ରମଣ କରିଥିଲେ ।