କନକ ବ୍ୟୁରୋ : ବାଲି ଲୁଟିବାକୁ ମାଫିଆ ଏକାଠି। ରାତିରେ ଜଙ୍ଗଲ ଭିତରେ ରହଣୀ, ରାତି ତମାମ ବେଆଇନ୍ ଭାବେ ବୋହି ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଏବେ ଚୋରା ବାଲିର ଠିକଣା ପାଲଟିଥିବା ବେଳେ ୧୦ରୁ ଅଧିକ ବେଆଇନ୍ ବାଲିଘାଟ ଚାଲିଛି ପାଙ୍ଗାମ ଅଞ୍ଚଳରେ। ଆଉ ସବୁ କିଛି ଚାଲିଛି ଖଣି ବିଭାଗର ଜାଣତରେ । ଆଉ ଧର୍ମକୁ ଆଖି ଠାର ପରି କାଁ ଭାଁ କିଛି ଗାଡ଼ି ଧରି ଚୁପ ବସୁଛନ୍ତି ଖଣି ଅଧିକାରୀ। 

Advertisment

ବାଲି ଚୋରେଇବାକୁ ନଦୀ ଗର୍ଭରେ ଏକାଠି ହୋଇଛନ୍ତି ମାଫିଆ। ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ନଦୀଘାଟ। ସାବେରୀ ନଦୀ ଗର୍ଭରେ ସବୁଜ ଘର ପ୍ରସ୍ତୁତ କରି ଦିନରେ ଆଶ୍ରୟ ନେଉଛନ୍ତି କର୍ମଚାରୀ । ଆଉ ରାତି ହେଲା ଆରମ୍ଭ ହୋଇଯାଏ ଅସଲ ଖେଳ। ସାବେରୀ ନଦୀ ଗର୍ଭକୁ କୋରି ଟନ୍ ଟନ୍ ବାଲି ବୋହି ନେଉଛନ୍ତି। ଗୋଟିଏ ରାତିରେ ଶହଶହ ଗାଡ଼ି ବାଲି ଚାଲାଣ ହେଉଛି ଏହି ଅଞ୍ଚଳରୁ। ନା ପୁଲିସକୁ ଭୟ, ନାଁ ଖଣି ବିଭାଗର ଡର। ସଲାସୁତରାରେ ମାଥିଲି ବ୍ଲକର ପାଙ୍ଗାନ ଓ ସାବେରୀ ନଦୀ ପଠାରୁ ପ୍ରତିଦିନ ବେଆଇନ ବାଲି ଉଠାଉଛନ୍ତି ମାଫିଆ। ନା’ ପର୍ମିଟର ଆବଶ୍ୟକତା ନା’ ୱେ-ବିଲ୍‌। ଖୋଲାମେଲା ରାତି ତମାମ ଚାଲୁଛି ବାଲି ପରିବହନ। ବାଲି ଗାଡ଼ିର ଧାଡ଼ିକୁ ଦେଖିଲେ ପୁଲିସ, ଖଣି, ରାଜସ୍ୱ କି ପରିବହନ ବିଭାଗ କିଛି ଯାଞ୍ଚ କରୁଥିବା ଭଳି ଅନୁଭବ ହେଉ ନାହିଁ। 

ଅଧିକ ପଢ଼ନ୍ତୁ : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରାଚାଲାଣରେ ବଡ଼ ଖୁଲାସା ; କଲ୍‌ ରେକର୍ଡରେ ପୁଲିସ-ତହସିଲ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ

ଖଣି ବିଭାଗର ତଥ୍ୟ ଅନୁଯାଇ ମାଲାକନଗିରି ଜିଲ୍ଲାରେ ଏବେ ମାତ୍ର ୧୩ଟି ବାଲିଘାଟ କାର୍ଯ୍ୟକ୍ଷମ  ରହିଛି। ସେଥିରୁ ମାଥିଲି ଅଞ୍ଚଳରେ ୬ଟି ବାଲିଘାଟ ସକ୍ରିୟ ରହିଥିବା କାଗଜ ପତ୍ର କହୁଛି। ସରକାରୀ ଖାତା ଓ ବାସ୍ତବା ଭିତରେ ଆକାଶ ପାତାଳ ଫରକ୍‌। ମାଥିଲି ପାଙ୍ଗାମ ଓ ସାବେରୀ ନଦୀରେ ୨୦ରୁ ଅଧିକ ବାଲିଘାଟ ଥିବା କନକ ନ୍ୟୁଜ୍‌ ଅନୁସନ୍ଧାନରୁ ଜଣାପଡିଛି। କତାପାଲି ପଞ୍ଚାୟତର ଧୁସାନାଡ଼ ବାଲିଘାଟ କତାପାଲି - ୧, କତାପାଲି - ୨ , କିଆଙ୍ଗ ପଞ୍ଚାୟତର କିଆଙ୍ଗ ନଦୀପଠା, ଚେଡ଼େଙ୍ଗାର ସିଙ୍ଗାଲଗୁଡ଼ା, ଦଳପତିଗୁଡ଼ା ପଞ୍ଚାୟତର କେନ୍ଦୁଗୁଡ଼ା, ଧୁଙ୍ଗିଆପୁଟ ପଞ୍ଚାୟତ ଅଧୀନ ଧୁଙ୍ଗିଆପୁଟ ନଦୀପଠା, ସାଲିମି ନଦୀପଠା, ମେକ୍କାର କାଳିଆଗୁଡ଼ା ନଦୀପଠା ଆଦି ବେଆଇନ ଭାବେ ଚାଲିଛି। ଖଣି ବିଭାଗ ଜାଣତରେ ଏହି ସବୁ ସ୍ଥାନରୁ ବାଲି ଉଠୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତଥାପି ଖଣି ଅଧିକାରୀ କିନ୍ତୁ ଚୁପ୍।