କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରିୟ ବାଲି ମାଫିଆ। ପୁରୀ ଓ କେନ୍ଦ୍ରାପଡ଼ାରେ ବାଲି ମାଫିଆଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି। ବାଲି ଚାଲାଣ ଯୋଗୁଁ ରାସ୍ତା ଖରାପ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ମେସିନ ଲଗାଇ ଖୋଳୁଛନ୍ତି, ଟ୍ରକ, ଜେସିବିରେ ବୋହି ନେଉଛନ୍ତି । ବାଲି ଘାଟ ନୁହେଁ ଯେଉଁଠି ବାଲି ଦେଖିଲେ ବିନା ଅନୁମତିରେ ଲୁଟି ନେଉଛନ୍ତି । କେବଳ ପୁରୀ, ପିପିଲି କି କେନ୍ଦ୍ରାପଡ଼ା ନୁହେଁ ସାରା ରାଜ୍ୟରେ ବାଲି ଲୁଟ ଚାଲିଛି । ଆଉ ଯେଉଁଠି ପ୍ରଶାସନିକ ଅଧିକାରୀ ବାଧା ଦେଉଛନ୍ତି, ସେଠାରେ ମାଫିଆ ଗୁଣ୍ଡାଗିରି କରୁଛନ୍ତି । ସେପଟେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମୁଦ୍ରକୁ ଶଙ୍ଖେ ଭଳି ।
ବାଲି ଚୋରାଚାଲାଣ କରି ମାଫିଆ ମାଲାମାଲ ହେଉଛନ୍ତି । କିନ୍ତୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଅନ୍ୟପଟେ ଅବାଧ ବାଲି ଚାଲାଣ ଓ ମାଫିଆଙ୍କ ଦୌରାତ୍ମ୍ୟ ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ପୂର୍ବରୁ ରାଜସ୍ୱ ବିଭାଗରେ ଥିଲା ବାଲି । ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବ ସରକାର ଜଣାନାହିଁ। ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ । ବାଲି ଖଣିଜ ପଦାର୍ଥର ତାଲିକା ଭୂକ୍ତ ହେଲା କେମିତି? ଆଗକୁ ବାଲି ଚୋରି ରୋକିବା ସହ ଆବଣ୍ଟନ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି । ବେଆଇନ ବାଲି ଚୋରାଚାଲାଣ ରୋକିବାକୁ କଡ଼ା ନିୟମ ରହିଛି। କିନ୍ତୁ ନିୟମକୁ ଫୁଃ କରି ଉଡ଼େଇ ଦେଉଛନ୍ତି ମାଫିଆ ।
ବେଆଇନ ବାଲି ଚାଲାଣକୁ ନେଇ ଶକ୍ତ ହାଇକୋର୍ଟ
ମନମୁଖୀ ମେସନ ବ୍ୟବହାର ଉପରେ କଟକଣା ଲାଗିଛି
ମେସିନ ବ୍ୟବହାର ପାଇଁ ପରିବେଶ ଅନୁମତି ବାଧ୍ୟତାମୂଳକ
ସକାଳ ୭ରୁ ରାତି ୯ଟା ଯାଏଁ ବାଲି ପରିବହନ ମନା
ନିୟମ ଉଲ୍ଲଂଘନ ହେଲେ ନିଲାମଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଏସବୁ ନିୟମର ଉଲ୍ଲଂଘନ ହେଉଥିଲେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ଅଭାବ ବାଲି ମାଫିଆଙ୍କୁ ପ୍ରୋତ୍ସାହିତ କରୁଛି ।