କନକ ବ୍ୟୁରୋ : ବାଲି ଚୋରା ଚାଲାଣରେ ଲାଗୁଛି ଲଗାମ । କିଛି ଦିନ ଦବି ରହିବା ପରେ ପୁଣି ସକ୍ରିୟ ହୋଇଛନ୍ତି ବାଲି ମାଫିଆ । ନଦୀ ପେଟ କୋରି ତାଡ଼ି ନେଉଛନ୍ତି କୋଟି କୋଟି ଟଙ୍କାର ଏହି ଲଘୁ ଖଣିଜ ଦ୍ରବ୍ୟ ।
ଖଣି ବିଭାଗ ଓ ପ୍ରଶାସନର ଚଢ଼ାଉ ପରେ ବେଶ୍ କିଛି ଦିନ ଥମି ଯାଇଥିଲେ ବାଲି ମାଫିଆ । ଧରାପଡିବା ଭୟରେ ବେଆଇନ ଭାବେ ବାଲି ଉଠାଇବାକୁ ଡରୁଥିଲେ । କିନ୍ତୁ ଯାଜପୁର ଓ ସୁନ୍ଦରଗଡ଼ରୁ ଆସିଥିବା ଚିତ୍ର ବାଲି ଚୋରା କାରବାରର ରହସ୍ୟକୁ ଖୋଲି ଦେଇଛି । ସ୍ପଷ୍ଟ ହୋଇଛି ପୁଣି ଥରେ କେମିତି ସକ୍ରିୟ ହୋଇଛନ୍ତି ବାଲି ମାଫିଆ ।
ଯାଜପୁର ସହରକୁ ଲାଗି ରହିଥିବା ନଦୀ ଘାଟରେ ଘନ ଅନ୍ଧାର ରାତିରେ ମେସିନ ଲଗାଇ ବାଲି ତାଡି ନେଉଛନ୍ତି ମାଫିଆ । ଏହି ଗୋଟିଏ ସ୍ଥାନରେ ନୁହେଁ ଜିଲ୍ଲାର ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଖରସ୍ରୋତା, କାଣୀ, ଗେଙ୍ଗୁଟି ସମେତ ପ୍ରାୟ ସବୁ ନଦୀରେ ମାଫିଆ ମାନେ ବାଲି ଲୁଟ୍ କରୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସଞ୍ଜ ନଇଁଲେ ନିଇତି ଚାଲୁଛି ଏଭଳି ଲୁଟ୍ ।
ସୁନ୍ଦରଗଡ଼ ଇବ୍ ନଦୀରୁ ମଧ୍ୟ ଆସିଛି ସମାନ ଚିତ୍ର । ମାଫିଆଙ୍କ କବଜାରେ ଇବ୍ ନଦୀର ବାଲି ଖାଦାନ । ଛତିଶଗଡ଼ ସୀମା ତେଲିଜୋରଠାରୁ ଆରମ୍ଭ କରି ଝାରସୁଗୁଡ଼ା ପର୍ଯ୍ୟନ୍ତ ସବୁଠୁ ରାଜ କରୁଛନ୍ତି ବାଲି ମାଫିଆ । ଏପଟେ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ତେବେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ଅନ୍ୟପଟେ ବେଆଇନ ବାଲି ଚୋରି ରୋକିବା ପାଇଁ ବରଗଡ଼, ଉଦଳା, ବସ୍ତାରେ ଚଢ଼ାଉ କରିଛନ୍ତି ଅଧିକାରୀ । ବାଲି ଚୋରା ଚାଲାଣରେ ବ୍ୟବହାର ହେଉଥିବା ହାଇୱା, ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଛନ୍ତି ।