କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରୀୟ ବାଲି ମାଫିଆ । ପୁରୀ ଓ କେନ୍ଦ୍ରାପଡ଼ାରେ ବାଲି ମାଫିଆଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ଦ୍ୱିପହର ହେଉ ଅବା ରାତିର ଅନ୍ଧାରରେ ଚାଲିଛି ବାଲି ଚୋରି । ବିଶେଷ କରି ସିପସରୁବାଲି ମୌଜାରେ ପ୍ରକୃତିର ବିରଳ ସୃଷ୍ଟିକୁ ନଷ୍ଟ କରିସାରିଲେଣି ମାଫିଆ । ଗୋଟିଏ ପଟରେ ମାଫିଆ କୁବେର ସାଜୁଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ପ୍ରଶାସନ ।
ମଙ୍ଗଳା ମୁହାଣ ସଂଲଗ୍ନ ସିପସରୁବାଲି ମୌଜା ଜଙ୍ଗଲର ବିକଳ ଚିତ୍ର ଦେଖିଲେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସହଜରେ ଅନୁମେୟ ହେଉଛି । ପୁଲିସ, ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗର ନାକ ତଳେ କୋଟି କୋଟି ଟଙ୍କାର ରାଜସ୍ୱକୁ ଅପହରଣ କରାଯାଉଥିବା ବିଲୟ ଆଡ଼କୁ ଗତି କରୁଛି ପ୍ରକୃତି । ସିପସରୁବାଲି, ଶଙ୍କର ପୁର, ମଙ୍ଗଳା ମୁହାଣ,ଏମିତି କି ଚନ୍ଦନପୁର, ଗୋପ, ଡେଲାଙ୍ଗ, ସତ୍ୟବାଦୀ ଭଳି ଜିଲ୍ଲାର ଅର୍ଦ୍ଧାଧିକ ତହସିଲ ଅଞ୍ଚଳର ବାଲି ଓ ମାଟି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି ।
ସେହିପରି ପିପିଲି ଡେଲାଙ୍ଗରେ ବି ଚାଲିଛି ବାଲିଚୋରି । ରାତି ଅଧରେ ଚାଲିଛି ବେଆଇନ ବାଲିଚାଲାଣ । ନା ପ୍ରଶାସନର ଡର ଅଛି ନା ପୁଲିସର । ପିପିଲି ଡେଲାଙ୍ଗ ଅଂଚଳରେ ଏଭଳି ବାଲିଚୋରି ଧରିଛନ୍ତି ପୂର୍ବତନ ବିଧାୟକ ରୁଦ୍ର ମହାରଥୀ । ନିଜେ ବାଲିଘାଟର ଗୋଟିଏ ପାଖରେ ଛିଡ଼ାହୋଇ ଅନ୍ୟ ପାର୍ଶ୍ୱରେ ରାତି ଅନ୍ଧାରରେ ହେଉଥିବା ବାଲି ଚୋରାଚାଲାଣର ଭିଜୁଆଲ ଦେଖାଇଛନ୍ତି ରୁଦ୍ର । ଧାଡ଼ିବାନ୍ଧି କିଭଳି ଟ୍ରକ, ଜେସିବି ବାଲିଚାଲାଣ କରୁଛନ୍ତି ତାହାର ଭିଜୁଆଲ ବି ଦେଖାଉଛନ୍ତି ।
ରୁଦ୍ର ମହାରଥୀଙ୍କ ଏଭଳି ରାତିଅଧିଆ ସୋସିଆଲ ମିଡିଆ ପୋଷ୍ଟ ପରେ ଆକ୍ସନକୁ ଆସିଛି ପୁରୀ ପ୍ରଶାସନ । ପିପିଲିର ବିଭିନ୍ନ ବେଆଇନ ବାଲି ଘାଟ ଉପରେ ମିଳିତ ଭାବେ ଚଡାଉ କରିଛନ୍ତି ତହସିଲଦାର, ପୁଲିସ, ଖଣିଜ ବିଭାଗର ଅଧିକାରୀ । ଚଢାଉ ସମୟରେ ନଦୀବନ୍ଧରେ ଥିବା ଦୁଇଟି ଜେସିବିକୁ ଜବତ କରାଯାଇଛି ।
ସେହିପରି କେନ୍ଦ୍ରାପଡ଼ାରେ ବାଲି ଚୋରା ଚାଲାଣକୁ ନେଇ ତୁମୁଳ କାଣ୍ଡ ହୋଇଛି । ଗ୍ରାମବାସୀ ଓ ବାଲି ମାଫିଆ ମୁହାଁ ମୁହିଁ ହୋଇଥିଲେ । ୮ତାରିଖ ରାତିରେ ରାମଚନ୍ଦ୍ରପୁର ପଞ୍ଚାୟତର ପନ୍ଦିଆ ଚିତ୍ରୋତ୍ପଳା ନଦୀରେ ବେଆଇନ ବାଲି ଉଠାଣକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।