କନକ ବ୍ୟୁରୋ : ନଦୀ ପଠାରୁ ବାଲି ଉଭାନ । ହଜାର ହଜାର କ୍ୟୁବିକ ସିଏମ୍ ବାଲି ବୋହି ନେଇଯାଉଛନ୍ତି ମାଫିଆ । ନା ଅଛି ଅନୁମତି ନା ରହିଛି ସରକାରୀ ଦସ୍ତାବିତ । ନା ସରକାରୀ ଅଧିକାରୀ ଓ ପୁଲିସକୁ ଅଛି ଡର । ରାତି ଅଧରେ ଖାଦାନ କରି ନେଇ ଯାଉଛନ୍ତି ହଜାର ହଜାର ଗାଡ଼ି ବାଲି । ମାଲକାନଗିରି ଜିଲା ମାଥିଲି ଅଞ୍ଚଳରୁ ଆସିଛି ଲଘୁ ଖଣିଜ ଲୁଟର ବାସ୍ତବିତ ଚିତ୍ର । କିପରି ବର୍ଷ ତମାମ ବେଆଇନ ବାଲିଘାଟ ମାଫିଆ ବାଲି ଚୋରି ନେଉଛନ୍ତି ।
ନଦୀ ପଠାରେ ଦେଖାଯାଉଥିବା ବାଲିର ପାହାଡ଼ ହେଉଛି ବେଆଇନ ଭାବେ ନଦୀରୁ ଖନନ । ମାଲକାନଗିରି ଜିଲା ମାଥିଲି ତହସିଲ ଅନ୍ତର୍ଗତ କୋଉଡିଗୁଡା ନଦୀ ପଠାରେ ବାଲି ନେବାକୁ ନଦୀ ଗର୍ଭରେ ତିଆରି ହୋଇଛି ୨ କିଲୋମିଟରର ରାସ୍ତା । ପ୍ରତିଦିନ ଚାଲାଣ ହେଉଛି ଶହ ଶହ ଟ୍ରକ ବାଲି । ବିରୋଧ କଲେ ତହସିଲର ଅନୁମତି ଆଣିଥିବା କହୁଛନ୍ତି ମାଫିଆ । କିନ୍ତୁ ତାହା ତଦାରଖ କରିବାକୁ କେହିଁ ନାହାଁନ୍ତି ।
ବର୍ଷଟେ ଧରି ବେଆଇନ ଭାବେ ଚାଲିଛି ବାଲିଘାଟ । ଦିନରେ ଚଢାଉ ହେଲେ ରାତି ଓ ପାହାନ୍ତିଆରେ ବାଲି ବୋହି ନେଉଛନ୍ତି ମାଫିଆ ଦଳ । ଏବେ ଲଘୁ ଖଣିଜ ଚାଲାଣ ଉପରେ ସାରା ରାଜ୍ୟରେ ଧରପଗଡ଼ ହେଉଥିଲେ ମଧ୍ୟ ଏଠାରେ ପ୍ରଭାବ ନାହିଁ । ଖାଲି ଲୋକ ଦେଖାଣିଆ ଭାବେ ତହସିଲ ଟିମ୍ ଚଢାଉ କରି ଚୁପ ବସିପଡୁଛି । କାରଣ ମାଥିଲି ତହସିଲର ଜଣେ କର୍ମଚାରୀ ଏହି ବେଆଇନ ଘାଟର ମୁଖ୍ୟ ନାୟକ ବୋଲି ଚର୍ଚ୍ଚା ହେଉଛି । ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମାଥିଲି ତହସିଲଦାର ମାନସୀ ଭୋଇ ।
ଘାଟରୁ ବାଲି ନେଉଥିବା ମାଫିଆ ସହଙ୍କ ରାଜନେତା ଏବଂ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଯୋଗୁ କୋଟି କୋଟି ଟଙ୍କାର ରାଜସ୍ୱ ନଷ୍ଟ ହେଉଛି । ଦୁର୍ନୀତି ନେଇ ସତ ସାମ୍ନାକୁ ଆସିବା ପରେ ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ନଜର ରହିଛି ।