କନକ ବ୍ୟୁରୋ: ତେଲନଦୀ ଓ ମହାନଦୀର ସଙ୍ଗମ ସ୍ଥଳ । ଏଠାରୁ ଦିନ ଦ୍ବିପହରରେ ଟ୍ରାକ୍ଟର, ହାଇୱା ଲଗାଇ ଶହଶହ ଟ୍ରିପ୍ ବାଲି ବୋହି ନେଉଛନ୍ତି ମାଫିଆ । ସରକାରୀ ନିର୍ଦ୍ଦେଶକୁ ବି ମାଫିଆଙ୍କ ଖାତିର ନାହିଁ । ଉପରପଟେ ରାମେଶ୍ବର ମନ୍ଦିର ଥିବାବେଳେ ବେଆଇନ୍ ଭାବେ ତଳୁ ବାଲି ଲୁଟି ନେଉଛନ୍ତି । ଯାହା ମନ୍ଦିର ପାଇଁ ବିପଦ ସୃଷ୍ଟି କରୁଛି । ବାଲି ଚୋରଙ୍କୁ ଧରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପାଳନ କରୁନଥିବା ଅଭିଯୋଗ ହୋଇଛି ।
କେବଳ ସଙ୍ଗମ ସ୍ଥଳ ନୁହେଁ ଜିଲ୍ଲାର ବିଭିନ୍ନ ନଦୀ ନାଳର ପେଟ ଖାଲି କରିବାରେ ଲାଗିଛନ୍ତି ମାଫିଆ । ସୋନପୁର ବ୍ଳକର ବଲଦାପାଲି, ପାଣିଶିଆଲି ଓ ଉଲୁଣ୍ଡା ବ୍ଲକ୍ର ବିଜେପୁର, ଧର୍ମଶାଳା ଆଦି ସ୍ଥାନରୁ ବିନା ଲିଜ୍ରେ ଚାଲିଛି ବାଲି ଚୋରା ଚାଲାଣ । ଫଳରେ ମାଫିଆଙ୍କ ପକେଟ୍ ଗରମ୍ ହେଉଛି, ଆଉ ସରକାର କୋଟିକୋଟି ଟଙ୍କାର କ୍ଷତି ସହୁଛନ୍ତି । ଅନ୍ୟପଟେ ପଦକ୍ଷେପ ନିଆଯାଉଛି କହି ସଫେଇ ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । କେବେ ବାଲି ଚୋରଙ୍କୁ ଧରିବ ପ୍ରଶାସନ ? ଏନେଇ ଜନ ଅସନ୍ତୋଷ ବଢ଼ି ଚାଲିଛି । ତେଣୁ ତୁରନ୍ତ ଚୋରା ଚାଲାଣ ରୋକିବା ଜରୁରୀ ହୋଇପଡିଛି ।