କନକ ବ୍ୟୁରୋ : ବାଲେଶ୍ବର ରେମୁଣା ବ୍ଲକ କାଠସଙ୍ଗଡ଼ାର ଖଣି ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଗାଡ଼ିରୁ ଟାଣି ଆଣି ନିସ୍ତୁକ ପିଟିଛନ୍ତି । କାର୍ଯ୍ୟରତ ଅଫିସରଙ୍କୁ ଏଭଳି ମାଡ଼ ବୟାନ କରୁଛି ରାଜ୍ୟରେ କେତେ ସକ୍ରିୟ ବାଲି ମାଫିଆ । ରେମୁଣା ବ୍ଲକ କାଠସଙ୍ଗଡ଼ାରେ ବୁଢ଼ାବଳଙ୍ଗ ନଦୀରୁ ବାଲି ଚୋରା ଚାଲାଣ ହେଉଥିଲା । ଖବର ପାଇ ଜୁନିଅର ମାଇନିଙ୍ଗ ଅଫିସର ତାପସ ବେହେରା ଏବଂ ତାଙ୍କର ଜଣେ କର୍ମଚାରୀ ଘାଟ ନିକଟକୁ ଯାଇଥିଲେ । ମାଫିଆମାନେ ସେତେବେଳେ ନିଲାମ ଘାଟରୁ ବାଲି ନଉଠାଇ ଅନ୍ୟ ଘାଟରୁ ବାଲି ଉଠାଇ ଗାଡ଼ିରେ ଲୋଡ୍ କରୁଥିଲେ । ଏହି ସମୟରେ ବାଲି ଲୋଡ୍ ଗାଡ଼ିର କାଗଜପତ୍ର ଯାଞ୍ଚ କରିବା ବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ବାଲି ଚୋର । ଅଧିକାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ଥାନାରେ ମାମଲା ହୋଇଛି ।
ରାଜ୍ୟରେ ବାଲି ଚୋରା ଚାଲାଣ ରୋକିବା ପାଇଁ ସରକାର କଠୋର ହେଉଛନ୍ତି । ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରୀ ଅଫିସରଙ୍କୁ ମାଡ଼ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ରାଜସ୍ବ ମନ୍ତ୍ରୀ । କିନ୍ତୁ ବେଫିକର ବାଲି ମାଫିଆ । ତେବେ ଏ ପ୍ରଥମ ଘଟଣା ନୁହେଁ, ପୂର୍ବରୁ କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ହୋଇଥିଲା । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଣିଥରେ ରେମୁଣାରେ ଖଣି ଅଧିକାରୀଙ୍କୁ ମାଡ଼ ମାରିଛନ୍ତି ବାଲି ଲୁଟେରା । ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି ବାଲି ମାଫିଆ । ବଢ଼ି ଚାଲିଛି ଆତଙ୍କରାଜ । ପ୍ରଶ୍ନ ଉଠୁଛି, ବାଲି ମାଫିଆଙ୍କ ବିରୋଧରେ କେବେ ହେବ କଠୋର କାର୍ଯ୍ୟାନୁଷ୍ଠାନ ?
ବାଲି ମାଫିଆଙ୍କ ଆତଙ୍କରାଜ : ଖଣି ଅଧିକାରୀଙ୍କୁ ନିସ୍ତୁକ ମାଡ଼
ଗାଡ଼ିରୁ ଟାଣି ଆଣି ନିସ୍ତୁକ ପିଟିଛନ୍ତି । କାର୍ଯ୍ୟରତ ଅଫିସରଙ୍କୁ ଏଭଳି ମାଡ଼ ବୟାନ କରୁଛି ରାଜ୍ୟରେ କେତେ ସକ୍ରିୟ ବାଲି ମାଫିଆ ।
/kanak/media/media_files/2025/06/10/INo5rLIkKbpHdt4Fo61f.jpg)