କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତହସିଲରେ ଚାଲିଛି ବେଧଡ଼କ ବାଲି ଚୋରାଚାଲାଣ । ସରକାରୀ ନିୟମକୁ ଖାତିର ନାହିଁ । ନଦୀ ପଠାରୁ ବାଲି ତାଡ଼ି ନେଉଛନ୍ତି । ଏନେଇ ଜଣାଇବା ପରେ ବି ପ୍ରଶାସନ ଚୁପ୍ ବସିଥିବା ଅଭିଯୋଗ ଆସିଛି ।
ପାଟଣାଗଡ଼ ତହସିଲରେ ଚାଲିଛି ବେଆଇନ ବାଲି ଚାଲାଣ । ସୁକତେଲ ନଦୀ ପଠାରୁ ମେସିନ୍ରେ ଉଠାଇ ଶହଶହ ଟ୍ରିପ୍ ଟ୍ରକରେ ବୋହି ନେଉଛନ୍ତି ମାଫିଆ । ଟ୍ରକର ବେପରୁଆ ଚାଲାଣ ଯୋଗୁ ତମିଆଁ ଠାରୁ ବାକବାହାଲି ମୁନ୍ଦଲସରର ନୂଆ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଏନେଇ ପାଟଣାଗଡ଼ ଆଦିବାସୀ ସଂଘ ପକ୍ଷରୁ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ ବି ଲାଭ ନାହିଁ । ବରଂ ତହସିଲଦାର ସମସ୍ତ ଦୋଷ ଖଣି ବିଭାଗ ଉପରେ ଲଦି ଖସି ଯାଉଛନ୍ତି ।
ସୁକତେଲ ନଦୀ ପଠାରୁ ବାଲି ଉଠାଇବା ପାଇଁ ଲିଜ୍ ଦିଆଯାଇଥିଲା । ଲିଜ୍ ବାଦ୍ ଅନ୍ୟସ୍ଥାନରୁ ବାଲି ଉଠୁଥିବା ଅଭିଯୋଗ ହୋଇଛି । ପ୍ରଦୂଷଣ ନିୟମକୁ ବେଖାତିର କରି ଦିନ-ରାତି ତହସିଲ ଅଫିସର ମୁଖ୍ୟରାସ୍ତା ଦେଇ ବାଲି ଗାଡ଼ି ଯାଉଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ଭିଜିଲାନ୍ସ ତଦନ୍ତ କରି ପ୍ରକୃତ ସତ ସାମନାକୁ ଆଣିବାକୁ ଦାବି ହୋଇଛି । ନହେଲେ ଆନ୍ଦୋଳନ ନେଇ ସରକାରଙ୍କୁ ଚେତାବନୀ ଦେଇଛି ଆଦିବାସୀ ସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/22/29-2025-08-22-18-24-53.jpg)