କନକ ବ୍ୟୁରୋ:   ହେଉଛି ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱରର ଦୃଶ୍ୟ। ୬୦ ନମ୍ୱର ଜାତୀୟ ରାଜପଥର ଆମ୍ବିଳିଅଠା ଛକରେ ଛାଡ଼ିହୋଇ ରହିଛି ୫୦ରୁ ଅଧିକ ବାଲି ବୋଝେଇ ଗାଡ଼ି। ଜଳେଶ୍ୱରର ଆମ୍ବିଳିଅଠା ଛକ ଦେଇ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହୋଉଥିବା ଖବର ମିଳିଥିଲା। ଏହାପରେ ଗତକାଲି ରାତି ପ୍ରାୟ ୨ଟାରେ, ୬୦ ନମ୍ୱର ଜାତୀୟ ରାଜପଥ ସମେତ ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ୱର ରାଜ୍ୟ ରାଜପଥ ନିକଟରେ ଅତର୍କିତ ଚଢ଼ାଉ କରିଥିଲେ ଜଳେଶ୍ଵର ତହସିଲଦାର ସତ୍ୟଜିତ ମହାନ୍ତି। ଆଉ ୫୦ରୁ ଅଧିକ ବେଆଇନ ବାଲି ବୋଝେଇ ଡମ୍ପର ଜବତ କରିଥିଲେ।  

Advertisment

ସେପଟେ ଜାତୀୟ ରାଜପଥର ବସ୍ତାଠାରୁ ଜଳେଶ୍ଵର ସୀମାନ୍ତ ପର୍ୟ୍ୟନ୍ତ ୭୦୦ରୁ ଅଧିକ ବାଲି ବୋଝେଇ ହାଇୱା ଓ ଡମ୍ପର ଅଟକି ରହିଛି। ବିଭିନ୍ନ ପେଟ୍ରୋଲ ଟାଙ୍କି ଓ ରାଜପଥ କଡ଼ରେ ଛିଡ଼ା ହୋଇଛି ଏହି ଗାଡ଼ି। ମାତ୍ର ଗାଡ଼ି ଛାଡ଼ି ଡ୍ରାଇଭର ଓ ହେଲପର ଚମ୍ପଟ ମାରିଛନ୍ତି । ତହସିଲଦାରଙ୍କ ଠାରୁ ସୂଚନା ପାଇ ବାଲେଶ୍ଵର ଆରଟିଓ ପହଞ୍ଚି ଅନଲାଇନରେ ଚାଲାଣ କାଟୁଥିବା ଦେଖିବାକୁ ମିଳିଛି। 

ପ୍ରତିଦିନ ଓଡ଼ିଶାରେ ସୁବର୍ଣ୍ଣରେଖାର ପେଟ ଚିରି ଏହିଭଳି ପଡ଼ୋଶୀ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ବିଭାଗ ପାଖରେ କୌଣସି ଖବର ନାହିଁ। ମମତା ସରକାରଙ୍କ ଷଡ଼ଯନ୍ତ୍ରର ଶିକାର ହେଉଛି ଓଡ଼ିଶା ମାଟି। 
ଦିନକୁ ଚୋରି ୬ କୋଟିର ବାଲି! 

ଗୋଟିଏ ହାଇୱାରେ ପ୍ରାୟ ଏକ ହଜାର ଫୁଟ୍‌ ବାଲି ବୋଝେଇ ହେଉଛି
ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଲେ ଗୋଟିଏ ଟ୍ରିପ୍‌କୁ ୩୫ରୁ ୪୦ ହଜାର 
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଦୂରତା ଅନୁଯାୟୀ ସ୍ଥିର ହେଉଛି ଦର
ଗୋଟିଏ ହାଇୱା କିମ୍ବା ଡମ୍ପର ୬୦ ହଜାର ଟଙ୍କାରେ ବିକ୍ରି ହୁଏ
ଦିନକୁ ପ୍ରାୟ ୧ ହଜାର ଟ୍ରକ୍ ବାଲି ଚୋରା ଚାଲାଣ ହେଉଛି
ଅର୍ଥାତ୍ ଦିନକୁ ୬ କୋଟି ଟଙ୍କାର ବାଲି ପଡ଼ୋଶୀ ରାଜ୍ୟକୁ ଚାଲାଣ ହେଉଛି

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରୁ ପ୍ରତିଦିନ NH-୧୬ରେ ଶହ ଶହ ଗାଡ଼ି ଆସି ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ୱର ରାଜ୍ୟ ରାଜପଥରେ ଭୋଗରାଇର ଉଦୟପୁର, କଖଡ଼ା, ଦେଉଳା, ମହାଗବ, ସାହୁଛକ, ବାଲିମ, କମର୍ଦା ବଜାର ଓ ଜଳେଶ୍ୱରର ସୋଲପୋଟା, ଲୋକନାଥ ଦେଇ ପଶ୍ଚିମବଙ୍ଗର ଦିଘା, ରାମନଗର, ବେଲଦା, ବୁଡେଇ,ଏଗ୍ରା, ମହନପୁର, କାନ୍ଥି, କଣ୍ଟାଈ ଆଦି ଅଂଚଳକୁ ସପ୍ଲାଇ କରାଯାଉଛି । ଏପରିକି ଜଳେଶ୍ଵର ରାଇବଣିଆ ଠାରୁ ବସ୍ତା ମଧୁପୁରା ପର୍ୟ୍ୟନ୍ତ ରହିଛି ୩୦ରୁ ଅଧିକ ବେଆଇନ ବାଲି ଖାଦାନ।