କନକ ବ୍ୟୁରୋ : ଜାପାନର ଏକ ଐତିହାସିକ ନିଷ୍ପତ୍ତି ମୁତାବକ ସାନେ ତାକାଇଚିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଯାଇଛି । ଜାପାନ ଇତିହାସରେ ଏହା ପ୍ରଥମ କି, ଦେଶର ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଲିବରାଲ ଡେମୋକ୍ରାଟିକ ପାର୍ଟିର ଏହି ୬୪ ବର୍ଷିୟା ନେତ୍ରୀ ସଂସଦରେ ୨୩୭ ସଦସ୍ୟଙ୍କ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଜାପାନ ସଂସଦରେ ମୋଟ ୪୬୫ ସଦସ୍ୟ । ସାନେ ତାକାଇଛି ଏବେ ଶିଗୁରୁ ଇଶିବାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଏସିଆ ମହାଦେଶରେ କେଉଁ କେଉଁ ଦେଶରେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ଏସିଆ ମହାଦେଶର ୧୪ ଟି ଦେଶରେ ମହିଳା ପ୍ରଧାନମନ୍ତ୍ରୀ ବା ସରକାରର ପ୍ରମୁଖ ପଦରେ ପହଂଚିପାରିଛନ୍ତି । ଏହି ତାଲିକାରେ ପ୍ରଥମ ନାମ ରହିଛି ଶ୍ରୀଲଙ୍କାର । ଶ୍ରୀଲଙ୍କାର ସିରିମାବୋ ଭଣ୍ଡାରନାୟକେ କେବଳ ଏସିଆ ମହାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ସରକାରରେ ନେତୃତ୍ୱ ନେଇଥିବା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ସେ ୧୯୬୦-୧୯୬୫, ୧୯୭୦-୧୯୭୭ ଓ ୧୯୯୪-୨୦୦୦ ମସିହା ପର୍ଯ୍ୟନ୍ତ ତିନିଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ମୋଦୀ ଜଣାଇଲେ ଶୁଭେଚ୍ଛା
ସେହିଭଳି ୧୯୬୪ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ନାମ ରହିଛି । ତାଙ୍କୁ ଭାରତର ଆଇରନ୍ ଲେଡି ବୋଲି ମଧ୍ୟ କୁହାଯାଏ । କେବଳ ସରକାର ଚଳାଇବା କ୍ଷେତ୍ରରେ ନୁହେଁ ବୈଦେଶିକ ନୀତିରେ ମଧ୍ୟ ତାଙ୍କ ଦୃଢ ନିଷ୍ପତ୍ତି ସାରା ଏସିଆ ମହାଦେଶରେ ଚହଳ ପକାଇଥିଲା । ଏହାପରେ ରହିଛି ପାକିସ୍ତାନ । ୧୯୯୮ ମସିିହାରେ ବେନଜିର ଭୁଟ୍ଟୁ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହିଭଳି ୧୯୯୧ ମସିିହାରେ ଖାଲିଦା ଜିୟା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ଥିଲେ । ତାଙ୍କ ପରେ ଶେଖ ହାସିନା ମଧ୍ୟ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହିଭଳି ୧୯୯୩ ମସିହାରେ ତାନସୁ ଚିଲ୍ଲର ତୁର୍କୀର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଭାବେ କାମ କରିଛନ୍ତି । ୧୯୬୯ ମସିହାରେ ଇସ୍ରାଏଲର ଗୋଲ୍ଡା ମୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାସହ ୨୦୧୬-୨୦୨୧ ପର୍ଯ୍ୟନ୍ତ ମ୍ୟାଁମାରର ପ୍ରଧାନମନ୍ତ୍ରୀ ଭାବେ ଆଙ୍ଗ ସାନ ସୁ କାର୍ଯ୍ୟଭାର ସମ୍ଭାଳି ଥିଲେ । ଅନ୍ୟ ଦେଶମାନଙ୍କ ମଧ୍ୟରେ ଥାଇଲାଣ୍ଡ, ସିଂଗାପୁର, ନେପାଳ, କୋସେବୋ, କିର୍ଗିସ୍ତାନ ଓ ଇଣ୍ଡୋନେସିଆରେ ମଧ୍ୟ ମହିଳା ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି । ଏସିଆ ମହାଦେଶ ବ୍ୟତୀତ ଇଟାଲୀ, ଡେନମାର୍କ, କାଜା, ଏଷ୍ଟ୍ରୋନିଆ ଆଦି ଦେଶରେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ।