କନକ ବ୍ୟୁରୋ: କିଛି କରିବାର ଦୃଢ଼ ଇଚ୍ଛା ଶକ୍ତି ସଉକକୁ ବ୍ୟବସାୟରେ ଯେ ପରିଣତ କରିପାରେ ତାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ଵରର ସମ୍ପା ସିଲ । ଦିନେ କଣ୍ଢେଇ ବନେଇବାର ସଉକ ଥିଲା । ବିଭିନ୍ନ ପ୍ରକାର କପଡା କାଟି ସିଲେଇ କରି ସେଥିରେ ତୁଳା ଭର୍ତି କରି କେତେ ପ୍ରକାରର କଣ୍ଢେଇ ବା ସଫ୍ଟ ଟଏ ବନାଉଥିଲେ । ବାହାଘର ପରେ ସ୍ୱାମୀଙ୍କ ସହଯୋଗ ଓ ପ୍ରେରଣା ଆଜି ସମ୍ପାଙ୍କୁ ରାଜ୍ୟ ସ୍ତରରେ ଜଣେ କଣ୍ଢେଇ କଳାକାର ଭାବେ ପରିଚିତ କରାଇଛି । ନିଜେ ରୋଜଗାର କରିବା ସହ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରୋଜଗାର ଦେଉଛନ୍ତି ।

ତୁଳା କଣ୍ଢେଇ ବା ସଫ୍ଟ ଟୟ କାହାକୁ ବା ଭଲ ନ ଲାଗେ। ଟେଡି ବିଅର ହଉ କି ପଣ୍ଡା । ପିଲା କି ବୟସ୍କ ସମସ୍ତଙ୍କ ପସନ୍ଦ ପାଲଟିଥାଏ । ଏହି କଣ୍ଢେଇ ବାହାରୁ ଆମଦାନୀ ହୋଇ ବଜାରରେ ବିକ୍ରି ହେଉଥିବା ବେଳେ ହାତ ତିଆରି କଣ୍ଢେଇର ରହିଛି ସ୍ୱତନ୍ତ୍ର ଚାହିଦା । ବାଲେଶ୍ୱରର ସମ୍ପା ସିଲ ନାମକ ଜଣେ ଉଦ୍ୟୋଗୀ ମହିଳା ଏଭଳି କିଛି କାମ କରି ସ୍ଥାନୀୟ ଅଞ୍ଚଳରେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ୨୦ ବର୍ଷରୁ ଅଧିକ ସମୟ ହେଲା ସେ ଏହି କାମ କରି ଆସୁଛନ୍ତି । 

ଧୀରେଧୀରେ ଚାହିଦା ବଢିବାରୁ ସମ୍ପା ଅନ୍ୟ ମହିଳାମାନଙ୍କୁ ତାଲିମ୍ ଦେଉଛନ୍ତି । ଶିଖିବା ପରେ ସେମାନଙ୍କୁ କାମ ମଧ୍ୟ ଯୋଗାଇ ଦେଉଛନ୍ତି । ଶୁନହଟ, ଦେବାନ୍ ସାହି ଓ ନୀଳଗିରିରେ ମହିଳାଙ୍କୁ ତାଲିମ ଦେଉଛନ୍ତି ସିମ୍ପା । ଏସବୁ ତିଆରି କରିବା ଶିଖିବା ପରେ ନିଜ ଘରେ ରହି ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି । 

କଣ୍ଢେଇ ତିଆରି କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗର କପଡ଼ା ଦରକାର ପଡ଼ିଥାଏ । ଆବଶ୍ୟକତା ଅନୁସାରେ କଣ୍ଢେଇ ତିଆରି ପାଇଁ କପଡ଼ା କାଟି ସିଲେଇ କରି ତୁଳା ଭର୍ତି କରି ଆଖି ନାକ ଲଗାଇ କଣ୍ଢେଇ ତିଆରି କରାଯାଏ । ଏହି କାମରୁ ଏବେ ମାସକୁ ୩୦ରୁ ୩୫ ହାଜର ଟଙ୍କା ରୋଜଗାର କରୁଛନ୍ତି ସମ୍ପା । କଣ୍ଢେଇ ଗୁଡ଼ିକୁ  ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରିବା ସହ ତାଙ୍କ ଘର ନିକଟକୁ ଆସି ଲୋକମାନେ କିଣିନେଉଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ମହିଳାଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭର କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । 

ଏହାସହ ସମସ୍ତ ହସ୍ତକଳାର ଏକ ଶିକ୍ଷାନୁଷ୍ଠାନ କରିବାକୁ ତାଙ୍କର ଇଛା ରହିଛି । ଖାଲି ତୁଳା କଣ୍ଢେଇ ନୁହେଁ ସୁନ୍ଦରସୁନ୍ଦର କୁସନ୍ ତିଆରି ହେଉଛି । ଉଭୟ ଅନଲାଇନ ଓ ଅଫଲାଇନରେ ଏହାର ଭଲ ଚାହିଦା ରହିଛି । ତିନି ଶହରୁ ଉର୍ଦ୍ଧ ଡିଜାଇନ୍ କଣ୍ଢେଇ ତିଆରି କରୁଛନ୍ତି ସମ୍ପା । ଏପରିକି ବଳକା କପଡାରେ ମଧ୍ୟ ଛୋଟ କଣ୍ଢେଇ, ଚଢ଼େଇ ଓ ଅନ୍ୟାନ୍ୟ କଣ୍ଢେଇ ତିଆରି କରୁଛନ୍ତି । 

ଖାଲି ବାଲେଶ୍ଵର ନୁହେଁ ସମ୍ପା ଓଡ଼ିଶାର ବିଭିନ ସ୍ଥାନକୁ ଯାଇ ତାଲିମ ମଧ୍ୟ ଦେଉଛନ୍ତି । ସେ ଜଣେ କୁଶଳୀ ଓ ତାଲିମ୍ପ୍ରାପ୍ତ କଣ୍ଢେଇ କାରିଗର ଭାବେ ସ୍ଥାନୀୟ ଅଂଚଳରେ ନାଁ କରିଛନ୍ତି ।