କନକ ବ୍ୟୁରୋ : ଭୋଜନ ଦାନକୁ ପୂର୍ବ ସମୟରେ ପୁଣ୍ୟର କାମ ବୋଲି କୁହାଯାଉଥିଲା । ଭୋକିଲାକୁ ଖାଦ୍ୟ ଖୁଆଇବା ଭଗବାନଙ୍କ ଆଗରେ ଭୋଗ ଲଗାଇବା ସହ ସମାନ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନର ସମୟରେ ଏହା ସମ୍ପୂର୍ଣ୍ଣ ଓଲଟା । ଏବେ ଯଦି କେହି ଦାନ , ଧର୍ମ କରୁଛନ୍ତି ତାଙ୍କୁ ଲୋକଦେଖାଣିଆର ପରିଚୟ ମିଳୁଛି । କହିବାକୁ ଗଲେ ଖୁବ୍ କମ୍ ଭଲ ଲୋକଙ୍କ ଉପସ୍ଥିତିରେ ହିଁ ଏ ଦୁନିଆ ଚାଲିଛି । ନିକଟରେ ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନର ଏକ ଭିଡିଓ ଭାଇରାଲ୍  ହେଉଛି ଯାହାକୁ ଦେଖିଲେ ଲାଗୁଛି ଯେ ମଣିଷ କ’ଣ ସତରେ ମାନବିକତା ଭୁଲିଗଲାଣି? ଅର୍ଥ ରୋଜଗାର କରିବାର ଇଚ୍ଛା କ’ଣ ମଣିଷ ମନରୁ ବିବେକ ମାରିଦେଉଛି ? 

Advertisment

ଘଟଣାଟି କିଛି ଏମିତି ଜବଲପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ପ୍ଲାଟଫର୍ମରୁ ସିଙ୍ଗଡ଼ା ବିକାଳିଙ୍କ ପାଖରୁ ସିଙ୍ଗଡ଼ା କିଣି ଖାଇଥିଲେ , କିନ୍ତୁ ଦୁର୍ଭାଗ୍ୟବଶତଃ ଅନଲାଇନ୍ ପେମେଣ୍ଟ୍ କରୁ କରୁ ତାଙ୍କ UPI ଡାଉନ୍ ହୋଇଯାଇଥିଲା । ଯେଉଁଥିପାଇଁ ସେ ଟଙ୍କା ଦେଇ ପାରିନଥିଲେ । ଆଉ ଠିକ୍ ସେତିକିବେଳକୁ ତାଙ୍କର ଟ୍ରେନ୍ ମଧ୍ୟ ପ୍ଲାଟଫର୍ମରୁ ଛାଡ଼ିବାକୁ ଲାଗିଥିଲା । ଉପାୟଶୂନ୍ୟ ହୋଇ ବ୍ୟକ୍ତିଜଣକ ଟଙ୍କା ନଦେଇ ଟ୍ରେନ୍ ଆଡ଼କୁ ଦୌଡ଼ିଥିଲେ । କିନ୍ତୁ ସିଙ୍ଗଡ଼ା ବିକାଳି ୨ ଟି ସିଙ୍ଗଡ଼ା ପାଇଁ ଉକ୍ତ ବ୍ୟକ୍ତିଙ୍କର କଲର୍ ଧରି ଘୋଷାଡ଼ି ଥିଲେ ଏବଂ ଟଙ୍କା ଦେବାକୁ କହିଥିଲେ । ଏପଟେ ଟ୍ରେନ୍ ଯାଉଥିଲା ଆଉ ପାଖରେ ଟଙ୍କା ବି ନଥିଲା । ନିରୁପାୟ ହୋଇ ବ୍ୟକ୍ତିଜଣଙ୍କ ସିଙ୍ଗଡ଼ା ବିକାଳିଙ୍କୁ ଛାଡ଼ିଦେବାକୁ କହୁଥିବା ବେଳେ ହାତରେ ପିନ୍ଧିଥିବା ଘଣ୍ଟାଟିକୁ ବିକ୍ରେତା ଟାଣି ନେଇଥିଲେ । ୨ ଟି ସିଙ୍ଗଡ଼ା ପାଇଁ ୨,୦୦୦ ଟଙ୍କାର ଘଣ୍ଟାଟିକୁ ଭିଡ଼ି ନେଇଥିଲେ ସିଙ୍ଗଡ଼ା ବିକାଳି । ଏହି ୩୪ ସେକେଣ୍ଡର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।  

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ସେମାନେ ଘଟଣା କ’ଣ ତୁରନ୍ତ ଜାଣିପାରିଲେ ନାହିଁ ନଚେତ୍ ଟଙ୍କା ଦେଇଥା’ନ୍ତେ । କିନ୍ତୁ ଏହି ଘଟଣା ସେମାନଙ୍କୁ ମର୍ମାହତ କରିଥିଲା । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଜବଲପୁର ଡିଭିଜନ ରେଳ ପ୍ରବନ୍ଧକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଭିଯୁକ୍ତ ବିକ୍ରେତାଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଛି ଏବଂ ରେଳ ସୁରକ୍ଷା ବଳ (RPF) ଏକ ମାମଲା ରୁଜୁ କରି ଉକ୍ତ ସିଙ୍ଗଡ଼ା ବିକାଳୀଙ୍କୁ ଗିରଫ କରିଛି । କହିବାକୁ ଗଲେ ଇଣ୍ଡିଆନ୍ ରେଲୱେ ଯାତ୍ରୀଙ୍କ ଅଭିଯୋଗରେ ବୁଡ଼ି ରହିଛି । ୨୦୨୩ ରୁ ୨୦୨୫ ମଧ୍ୟରେ ୬୧ ଲକ୍ଷରୁ ଅଧିକ ଲୋକ ଏଥିରେ ଅଭିଯୋଗ ଦାଖଲ କରିଛନ୍ତି । କେବଳ ୨୦୨୪-୨୫ ବର୍ଷରେ ରେଳବାଇ ୩୨.୦୮ ଲକ୍ଷ ଅଭିଯୋଗ ପଞ୍ଜିକୃତ କରିଥିଲା ଯାହା ୨୦୨୩-୨୪ ବର୍ଷରେ ଦାଖଲ ହୋଇଥିବା ୨୮.୯୬ ଲକ୍ଷ ଅଭିଯୋଗ ତୁଳନାରେ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଟ୍ରେନ୍ ସେବା ସମ୍ପର୍କରେ ଅଭିଯୋଗ ୧୮ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ରେଳ ଷ୍ଟେସନ ସମ୍ବନ୍ଧୀୟ ଅଭିଯୋଗ ୨୧ ପ୍ରତିଶତ ହ୍ରାସ ପାଇଛି । ଟ୍ରେନରେ ସୁରକ୍ଷା ସମ୍ପର୍କିତ ଅଭିଯୋଗ ୬୪% ବୃଦ୍ଧି ପାଇଛି । ୨୦୨୩-୨୪ ରେ ୪.୫୭ ଲକ୍ଷ ଅଭିଯୋଗ ଥିବା ବେଳେ ୨୦୨୪-୨୫ ରେ ୭.୫୦ ଲକ୍ଷକୁ ବୃଦ୍ଧି ପାଇଛି । ୨ ବର୍ଷ ମଧ୍ୟରେ କେବଳ ସୁରକ୍ଷା ପାଇଁ ୧୨.୦୭ ଲକ୍ଷ ଅଭିଯୋଗ ଆସିଛି ।