Sambalpur Village Photograph: (Kanak News)
କନକ ବ୍ୟୁରୋ : ପ୍ରଦୂଷଣର କାଳିମାରେ ହଜିଯାଇଛି ପ୍ରକୃତିର ସବୁଜିମା । ପାଣି ପବନରେ ପ୍ରଦୂଷଣ ବିଷ, ଘରେ ଘରେ ଭରିଦେଇଛି ରୋଗ ଓ ଯନ୍ତ୍ରଣା । ସତେ ଯେମିତି, ଶିଳ୍ପ ବିକାଶର ସଂଜ୍ଞା ଲେଖୁ ଲେଖୁ କିଛି ଲୋକଙ୍କ ଭାଗ୍ୟରେ ଅସରନ୍ତି ଦୁଃଖ ଲେଖିଦେଇଛନ୍ତି ସରକାର । ସମ୍ବଲପୁର ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀ ବୁଲିଥିବେ, ରଙ୍ଗିନ ଚିତ୍ର ଦେଖି ଫଟୋ ବି ଉଠାଇଥିବେ । ବିକାଶ ନାଁରେ ବିନାଶ ମୁହଁକୁ ଠେଲି ଦିଆଯାଇଥିବା ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଶିଳ୍ପାଞ୍ଚଳର ଏକ ଅଭିଶପ୍ତ ଗାଁରୁ ସ୍ୱତନ୍ତ୍ର ରିପୋର୍ଟ ।
ଏଠି ଗଛ କଳା...ପତ୍ରର ରଙ୍ଗ କଳା...ଘର ଦ୍ୱାର, ଦାଣ୍ଡ ପିଣ୍ଡା...ସବୁ କିଛି କଳା ଆଉ କଳା । ଘରୁ ବାହାରି ପିଣ୍ଡା ଆଉଁସି ଦେଲେ କଳା ହୋଇଯାଏ ହାତ । ଚାରିଆଡ଼େ ପାଉଁଶର ମୋଟା ଆସ୍ତରଣ । ଆକାଶରେ ମେଘ ନୁହେଁ କମ୍ପାନିର ଧୂଆଁ ଖେଳେ ଲୁଚକାଳି । ପାଉଁଶ ପହାଡ଼ର ପାଦ ଦେଶରେ ଗାଁ ପୋଖରୀ ।
ଅଧିକ ପଢ଼ନ୍ତୁ : ପିଲାଙ୍କ ପାର୍କରେ ମଦୁଆଙ୍କ ଆଡ୍ଡା; ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ସତ୍ତା
ଯେଉଁଠି ମାଟିରେ ବିଷ, ପାଣିରେ ବିଷ, ପବନରେ ବିଷ ! ସେଠି ଜୀବନ ଅଭିଶପ୍ତ ନୁହେଁ ତ ଆଉ କ’ଣ ? ପ୍ରଦୂଷଣର ହଳାହଳ ବିଷରେ ଏଠି ଜର୍ଜରିତ ପ୍ରତିଟି ଜନଜୀବନ । ଘରେ ଘରେ ରୋଗ... କିଏ ଶ୍ୱାସକଷ୍ଟ ଭୋଗୁଛି, ତ କିଏ ଆଉ କେଉଁ ବ୍ୟାଧି । ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଶିଳ୍ପାଞ୍ଚଳରେ ଏ ଗାଁର ନାଁ ଗୁରୁପାଲି । ରହୁଛନ୍ତି ପ୍ରାୟ ୨ଶହ ପରିବାର । ଗାଁର ଅତି ନିକଟରେ ଦୁଇ ଦୁଇଟି ସ୍ପଞ୍ଜ ଆଇରନ କାରଖାନା ଥିବାରୁ, ସେଠାରୁ ଅହରହ ନିର୍ଗତ ପାଉଁଶ ଓ ଧୂଆଁ ଯୋଗୁ କଲବଲ ହେଉଛନ୍ତି ଗୁରୁପାରି ବାସିନ୍ଦା ।
ପ୍ରଦୂଷଣ ଜ୍ୱାଳାରେ ଏଠି ପ୍ରକୃତିର ରଙ୍ଗ ଯେମିତି ଫିକା, ଲୋକଙ୍କ ଜୀବନର ରଙ୍ଗ ବି ସେମିତି ଫିକା । ଅଭ୍ୟାସରେ ପଡ଼ିଗଲାଣି ପାଉଁଶ ମିଶା ପ୍ରଶ୍ୱାସ । କବାଟ ବନ୍ଦ କରି ଘର ଭିତରେ ରହିଲେ ବି ଘରକୁ ପଶୁଛି ପାଉଁଶ । ଲୋକଙ୍କ କହିବା କଥା, ପ୍ରତି ସପ୍ତାହରେ ଡାକ୍ତର ଆସନ୍ତି, ଆଉ ସବୁ ରୋଗ ପାଇଁ ଗୋଟିଏ ମେଡିସିନ୍ ଦେଇ ଚାଲିଯାଆନ୍ତି । ବିଡ଼ମ୍ବନା ହେଲା ଏହି ଅଞ୍ଚଳରେ ପ୍ରଦୂଷଣ ମାପକ ଯନ୍ତ୍ର ହିଁ ନାହିଁ । ଯେଉଁଥିପାଇଁ ଏଠିକାର ପ୍ରଦୂଷଣର ସତ ସାମ୍ନାକୁ ହିଁ ଆସିପାରୁନାହିଁ ।
ଗାଁକୁ ଲାଗି କାରଖାନାର ପାଉଁଶ ଗଦା, ପ୍ରଦୂଷଣ ଉପରେ କାହାର କାବୁ ନାହିଁ । ଲୋକମାନେ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ, ପ୍ରଶ୍ନ ଉଠୁଛି- ବିକାଶର ମାନେ କ’ଣ ଏଇଆ ? ଇଏ କ’ଣ ଶିଳ୍ପ ବିକାଶର ସଂଜ୍ଞା ? ସରକାରଙ୍କ କାନରେ କେବେ ପଡ଼ିବ । ଶିଳ୍ପାୟନର ଡିଣ୍ଡିମ ଶବ୍ଦରେ ହଜି ଯାଉଥିବା ଲୋକଙ୍କ ଆକୁଳ ଚିତ୍କାର ।
Follow Us