କନକ ବ୍ୟୁରୋ: ବୁର୍ଲା ଭିମସାରରେ ଶିଶୁପୁତ୍ର ଚୋରି ଘଟଣାରେ ଅଭିଯୁକ୍ତର ଫଟୋ ଜାରି କରିଛି ସମ୍ବଲପୁର ପୁଲିସ । ଶିଶୁକୁ ଖୋଜାଖୋଜି କରିବା ପାଇଁ ପୁଲିସର ୪ଟି ଟିମ୍ ଗଠନ କରାଯାଇଛି । ଜିଲ୍ଲା ସହ ଜିଲ୍ଲା ବାହାରେ ଖୋଜାଖୋଜି କରୁଛି ପୁଲିସ । ବିଭିନ୍ନ ଜିଲ୍ଲାର ଥାନାକୁ ଆଲର୍ଟ ମଧ୍ୟ କରାଯାଇଛି । ଏହାସହ ସନ୍ଦିଗ୍ଧ ମହିଳାଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଇଛି ପୁଲିସ । 

Advertisment

ବୁର୍ଲା ଭିମସାରରୁ ୨ ଦିନର ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁଇଦିନର ପୁଅକୁ ଜଣେ ମହିଳା ଚୋରି କରିଥିବା ଅଭିଯୋଗ ହୋଇଛି । ଏପରିକି ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଦୃଶ୍ୟ । ଦୁଇଦିନ ତଳେ ଛତିଶଗଡ଼ ସରେଇପାଲି ଅଞ୍ଚଳର  ଜଣେ ମହିଳା ବୁର୍ଲା ଭିମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ସ୍ୱାମୀ-ସ୍ତ୍ରୀଙ୍କ ସହିତ ନବଜାତର ମାଉସୀ ମଧ୍ୟ ଆସିଥିଲେ । ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ତାଙ୍କ ସହ ସମ୍ପର୍କ ବଢ଼ାଇ ଥିଲେ ଏବଂ ଗତକାଲି ଅପରାହ୍ନରେ ଶିଶୁଟି କାନ୍ଦିବା ବେଳେ ତାକୁ ନିଜ କୋଳକୁ ନେଇଥିଲେ ଏହି ମହିଳା । ଆଉ ଧୀରେ ଧୀରେ ବାହାରକୁ ଚାଲି ଯାଇଥିଲେ । ଦୀର୍ଘ ସମୟ ଧରି ମହିଳା ଜଣଙ୍କ ନଫେରିବାରୁ ସମସ୍ତେ ଖୋଜିଥିଲେ। ବୁର୍ଲା ଥାନାକୁ ଖବର ଦିଆଯାଇଥିଲା । ପୁଲିସ ପହଞ୍ଚି ପ୍ରଥମେ ସିସିଟିଭି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେହି ମହିଳା ଜଣଙ୍କ ଶିଶୁପୁତ୍ରକୁ ନେଇ ପଳାଉଥିବା ଦେଖିବାକୁ ମିଳିଛି । ମହିଳା ଓ ଶିଶୁକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ।