କନକବ୍ୟୁରୋ : ସମ୍ବଲପୁରରେ ପୋଲିସ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ । ତାତିଲେ ଲୋକେ । ରାତିଅଧରେ ହୀରାକୁଦ ଥାନା ଘେରାଉ କରିଛନ୍ତି । ନ୍ୟାୟ ଦାବିରେ ଥାନା ଆଗରେ ବସି ରହିଲେ ପରିବାର ଲୋକ ଓ ଗ୍ରାମବାସୀ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟିଆନପଡା ଅଞ୍ଚଳର କାଦିର ମହମ୍ମଦ ସେଖ୍ । ଝାଙ୍କରପଡା ଅଞ୍ଚଳର ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି ମୋଟର ଚୋରି ଅଭିଯୋଗରେ କାଦିରଙ୍କୁ ଗିରଫ କରିଥିଲା ପୋଲିସ । ସୋମବାର କୋର୍ଟ ଚାଲାଣ କରାଯାଇଥିଲା ।
କୋର୍ଟରେ ଦେହ ଅସୁସ୍ଥ ହେବାରୁ କାଦିରଙ୍କୁ ପ୍ରଥମେ ସଦର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବାଟରେ ହିଁ କାଦିରଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଥାନାରେ ମାଡ଼ ମାରିବା ଯୋଗୁଁ କାଦିରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ସେପଟେ କାଦିର ଯେଉଁ ଗ୍ୟାରେଜରୁ ମୋଟର ଚୋରି କରିଥିଲେ ସେଠାରେ କର୍ମଚାରୀ ମଧ୍ୟ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଥାନାର ସିସିଟିଭି ଯାଞ୍ଚ ପାଇଁ ଦାବି କରିଛନ୍ତି ଲୋକେ । କାଦିରଙ୍କ ଘରେ ଦେଢ଼ ବର୍ଷର ଶିଶୁ ଥିବା ବେଳେ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏଠି ପ୍ରଶ୍ନ ଉଠୁଛି କାଦିର ଅସୁସ୍ଥ ଥିବା ବେଳେ କିପରି ଜାଣିପାରିଲାନି ପୋଲିସ ? କୋର୍ଟ ଚାଲାଣ ପୂର୍ବରୁ ହୋଇ ନଥିଲା କି ସ୍ବାସ୍ଥ୍ୟ ପରୀକ୍ଷା ? କାଦିରଙ୍କ ପରିବାରକୁ ମିଳିବ ତ ନ୍ୟାୟ ? ଏ ସମସ୍ତ ପ୍ରଶ୍ନ ଏବେ ପୋଲିସ ଉପରେ ପ୍ରଶ୍ନବାଚୀ ସାଜିଛି