କନକ ବ୍ୟୁରୋ: ନାଁ ବିଲ୍ଡିଂ ପଡ଼ା, କିନ୍ତୁ ସମସ୍ତଙ୍କ ଘର ମାଟି କୁଡ଼ିଆ । ଏମାନେ ଶାସନ କ’ଣ ଶାସକ କିଏ ଜାଣିନାହାଁନ୍ତି । ସ୍ୱାୟତ୍ତ ଶାସନ ଦିବସର ଅର୍ଥ ବି ଏମାନଙ୍କୁ ଅଜଣା । ସମ୍ବଲପୁର ମହାନଗର ନିଗମ ଏକ ନମ୍ୱର ୱାର୍ଡର ବିଲ୍ଡିଂ ପଡ଼ା ବୋଧେ ଅପହଞ୍ଚ ହୋଇପଡ଼ିଛି ବାବୁମାନଙ୍କ ପାଇଁ । ୧୧ ବର୍ଷ ହେଲା ଏସ୍‌ଏମ୍‌ସି ନିର୍ବାଚନ ହେଉନଥିବାରୁ କାହାକୁ ଜଣାଇ ପାରୁନାହାନ୍ତି ସମସ୍ୟା। 

Advertisment

ବିକାଶଠୁ ବହୁ ଦୂରରେ, ସହରର ଅତି ନିକଟରେ ରହୁଥିବା ଏଠିକାର ୧୫ ପରିବାର । ଏମାନଙ୍କୁ ଜଣା ନାହିଁ ସ୍ବାୟତ୍ତ ମାନେ କ’ଣ, କାହିଁକି ଆଜି ବଡ଼ ବଡ଼ ମଞ୍ଚରେ ଭାଷଣ ମାରୁଛନ୍ତି ବାବୁମାନେ । ସମ୍ବଲପୁର ମହାନଗର ନିଗମର ଏକ ନମ୍ୱର ୱାର୍ଡ ବିଲ୍ଡିଂ ପଡ଼ା, ଯେଉଁଠି ବିକାଶ ପହଞ୍ଚିପାରିନି। ନାଁ ସିନା ବିଲ୍ଡିଂ ପଡ଼ା କିନ୍ତୁ ଏଠି ସମସ୍ତଙ୍କ ଘର ଚାଳ  ଛପର । ପଡ଼ାକୁ ଯିବାକୁ ରାସ୍ତା ନାହିଁ, ପାନୀୟ ଜଳର ବ୍ୟବସ୍ଥା ନାହିଁ କି ପଟ୍ଟା ନଥିବାରୁ କାହା ପାଖରେ ପକ୍କା ଘର ଖଣ୍ଡେ ବି ନାହିଁ  । ୨୦୧୩ରେ ସମ୍ବଲପୁର ମହାନଗର ନିଗମ ଗଠନ ପରେ ଏହି ପଡ଼ା ବନିଗଲା ଏସ୍‌ଏମ୍‌ସି ୱାର୍ଡ ନମ୍ବର-୧  । ହେଲେ ଏଠି ମୌଳିକ ସୁବିଧା ସାତ ସପନ। 

୨୦୧୨ ମସିହାରେ ଶେଷ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିଲେ ଏହି ପଡ଼ାର ଲୋକେ  । ୨୦୧୩ରୁ ଏସ୍‌ଏମ୍‌ସି ଗଠନ ହୋଇଥିଲେ ମଧ୍ୟ ଏଯାଏଁ ହୋଇପାରନି ନିର୍ବାଚନ। ଜନ ପ୍ରତିନିଧି ନାହାଁନ୍ତି, ଚାଲିଛି ଅମଲାତନ୍ତ୍ର ଶାସନ । ବିଜେଡି ପରେ ଏବେ ସରକାରରେ ବିଜେପି, ତଥାପି ଏସ୍‌ଏମ୍‌ସିର ଅବସ୍ଥା ସୁଧୁରିନି ।