କନକବ୍ୟୁରୋ : ଭାରତୀୟ ସଂସ୍କୃତି ପରମ୍ପରାରେ ପ୍ରକୃତିକୁ ପୂଜା କରିବାର ବିଧି ରହିଛି । ମାଟି, ପାଣି, ପବନଠୁ ଆରମ୍ଭ କରି ବୃକ୍ଷକୁ ବି ପୂଜା କରିବା ପାଇଁ ଅଛି ସ୍ବତନ୍ତ୍ର ଉତ୍ସବ । କିନ୍ତୁ ପ୍ରକୃତିର ଅବଦାନକୁ ଭୁଲି ଏବେ ବିକାଶ ଆଳରେ ବିନାଶ ମୁହାଁ ମାନବସମାଜ । ଆଉ ତାର ପରିଣାମ କେବଳ ପରିବେଶ କି ମଣିଷ ନୁହେଁ ବରଂ ବନ୍ୟଜନ୍ତୁ ବି ଭୋଗୁଛନ୍ତି । ଏସବୁ ପ୍ରସଙ୍ଗକୁ ନେଇ ସମ୍ବଲପୁର ଜୁଜୁମରାରେ ବସିଛି ପରିବେଶ ପଞ୍ଚାୟତ ।
ସମ୍ବଲପୁର ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୁଜୁମରାରେ ବସିଛି ପରିବେଶ ପଂଚାୟତ । ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଆରସିସିଏଫ୍ ଟି. ଅଶୋକ କୁମାର, ପଂଚାୟତ ସମିତିର ଅଧିକାରୀଙ୍କ ସମେତ ଜନସାଧାରଣ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଆମର ସୁସ୍ଥ, ସ୍ବଚ୍ଛ ଓ ସୁରକ୍ଷିତ ଜୀବନଯାପନ ପାଇଁ ପରିବେଶ କେତେ ଜରୁରୀ ସେ ନେଇ ଆଲୋକପାତ କରିଥିଲେ ବିଧାୟକ । ଯେଉଁ ପ୍ରକୃତିକୁ ପୂଜା କରିବାର ପରମ୍ପରା ଆମ ସଂସ୍କୃତିରେ ରହିଛି ତାକୁ ଆମେ କିଭଳି ବିନାଶ କରୁଛୁ ବୋଲି କହି ଉଦବେଗ ପ୍ରକାଶ କରିବା ସହ ପରିବେଶ ପ୍ରତି ସମର୍ପିତ ହେବାକୁ ଆହ୍ବାନ ଦେଇଥିଲେ ।
ଗତ ୧୦ବର୍ଷ ମଧ୍ୟରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଛି । ଅବାଧ ଗଛକଟା ଯୋଗୁଁ ଜଙ୍ଗଲର ପରିଧି କମିଛି, ଯାହାଫଳରେ ଜଙ୍ଗଲୀଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଜୁଜୁମରା ଏକ ହାତୀପ୍ରବଣ ଅଂଚଳ ହୋଇଥିବାରୁ ଜଙ୍ଗଲରେ ଖାଦ୍ୟ ଅଭାବ ହାତୀଙ୍କୁ ଜନବସତି ମୁହାଁ କରୁଛି । ତେଣୁ ନୂଆ ଜଙ୍ଗଲ ସୃଷ୍ଟି କରିବା ଓ ଘନତ୍ବ ବଢ଼ାଇବା ଉପରେ ଗୁରୁତ୍ବ ଦେବା ଦରକାର ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି. ଅଶୋକ କୁମାର । ପରିବେଶ ପଂଚାୟତରେ ଗଛ ଲଗାଇବା ସହ ନିଜ ଘରୁ ସଚେତନତା ଆରମ୍ଭ ହେବା ଉଚିତ ବୋଲି ମତ ରଖିଥିଲେ ସଭିଏଁ ।
ସମ୍ବାଦ ପରିବାରର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କ ଗୁଣ୍ଡୁଚିମୂଷା ଅବଦାନ ପୃଥିବୀକୁ ପୁନଶ୍ଚ ଗଢିତୋଳିବାରେ ବଡ଼ ଭୂମିକା ନିଭାଇବ ବୋଲି ମତ ଦେଇଛନ୍ତି ଅତିଥି ।