କନକ ବ୍ୟୁରୋ : ଡାକ୍ତରଖାନାରେ ଲମ୍ବା ଧାଡ଼ି । କେଉଁଠୁ ଆରମ୍ଭ, କେଉଁଠି ଶେଷ ଆଖି ପାଉନି। ଚିକିତ୍ସା ଆଶାରେ ଏମିତି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି ରୋଗୀ । କେତେବେଳେ ଯେ ପାଳି ପଡ଼ିବ କହିବା ମୁସକିଲ୍। କେହି କେହି ତ ଅପେକ୍ଷା କରି କରି ଫେରି ବି ଯାଉଛନ୍ତି । ଆବଶ୍ୟକ ଡାକ୍ତର ଅଭାବରୁ ଆଜି ଏଭଳି ସ୍ଥିତି ଉପୁଜିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୪ ଜଣ ଡାକ୍ତରଙ୍କ ଜାଗାରେ ଅଛନ୍ତି ମାତ୍ର ୨୮ ଜଣ ।
ସର୍ଜରି ବିଭାଗରେ ଜଣେ ଓ ଅସ୍ଥିଶଲ୍ୟ ବିଭାଗରେ ଜଣେ ମାତ୍ର ଡାକ୍ତର କାମ ଚଳାଉଛନ୍ତି। ଅନ୍ୟାନ୍ୟ ବିଭାଗରେ ବି ସମାନ ସ୍ଥିତି। ଡାକ୍ତର ଅଭାବରୁ ମାସରେ ଅଧିକାଂଶ ଦିନ ଓପିଡି ବନ୍ଦ। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଖାଲି ମୁଖ୍ୟ ଡାକ୍ତରଖାନା କାହିଁକି ସାରା ଜିଲ୍ଲାରେ ବି ବିଭିନ୍ନ ଡାକ୍ତରଖାନାରେ ଖାଲି ପଡିଛି ଡାକ୍ତର ପଦବୀ । କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ହେଉଛି ବଡ଼ ବଡ଼ କୋଠା। କିନ୍ତୁ ଡାକ୍ତର ନଥିବାରୁ ରେଫରାଲ୍ ସେଣ୍ଟର ପାଲଟିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।