Paddy Procurement Photograph: (Kanak News)
କନକ ବ୍ୟୁରୋ : ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ସ୍ୱାଭାବିକ ହେଲା ଧାନକିଣା । ୪ ଦିନ ପରେ ଆଜିଠୁ ମଣ୍ଡିରୁ ଉଠିଛି ଧାନ । ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିଥିଲେ ମଧ୍ୟ ମିଲର ଚୁକ୍ତି ସ୍ଵାକ୍ଷର କରିନଥିବାରୁ ଧାନ ଉଠୁନଥିଲା । ପ୍ରତିବାଦରେ ଧାରଣାରେ ବସିଥିଲେ ଚାଷୀ । ପ୍ରଶାସନ ସହ ଆଲୋଚନା କରାଯିବା ପରେ ଧାନ କିଣା ସ୍ୱାଭାବିକ ହୋଇଛି ।
୪ ଦିନର ଛକାପଞ୍ଝା, ଧାରଣା ଆଉ ପ୍ରତିବାଦ । ସମ୍ବଲପୁର ଓ ବରଗଡ଼ରେ ସ୍ୱାଭାବିକ ହେଲା ଧାନ କିଣା । ଆଜି ଅପରାହ୍ଣ ୪ଟା ଭିତରେ ସମ୍ବଲପୁରରେ ୨୪୩.୧୦ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ୧୦୨ କ୍ୱିଣ୍ଟାଲ ଧାନ ମିଲ୍ରେ ପହଞ୍ଚିଛି । ଜିଲ୍ଲାରେ ୪୬ଟି ମିଲ୍ ମଧ୍ୟରୁ ଏବେ ସୁଦ୍ଧା ୧୭ଟି ମିଲ୍କୁ ଟାର୍ଗେଟ୍ ଦିଆଯାଇଛି । ବରଗଡ଼ର ୨୩୦ଟି ଧାନ କ୍ରୟ କେନ୍ଦ୍ରରେ ଚାଷୀଙ୍କଠାରୁ ସିଧାସଳଖ କିଣାଯିବ ଧାନ । ଜାନୁଆରୀ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଚେଷ୍ଟା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ ।
ଅଧିକ ପଢ଼ନ୍ତୁ : ୪ ଦିନ ପରେ ମଣ୍ଡିରୁ ଉଠିବ ଧାନ : ସମ୍ବଲପୁରରେ ଧାନକିଣା ସ୍ବାଭାବିକ ହେବା ଆଶା
ମିଲର୍ ସମସ୍ୟା ତୁଟିଲା ହେଲେ ଏବେ ଟୋକନ୍ କେଁ । କାରଣ ବରଗଡ଼ରେ ମାତ୍ର ୩୫% ବା ୭୬ ହଜାର ଓ ସମ୍ବଲପୁରରେ ପ୍ରାୟ ୫୦% ବା ୪୯ ହଜାର ଟୋକନ୍ ମିଳିଛି । ଅନେକ ଚାଷୀ ଟୋକନ ପାଇନଥିବା ବେଳେ ଆଉ କିଛି ଚାଷୀ ଗୋଟିଏ ଲେଖାଏଁ ଟୋକନ ପାଇଛନ୍ତି । ଧାନ ଅମଳ ହୋଇ ଖଳାରେ ପଡ଼ିଛି କିନ୍ତୁ ଟୋକନ ନଥିବାରୁ ଧାନ ବିକ୍ରି କରିପାରୁନି ଚାଷୀ ।
ଗୋଟିଏ ପଟେ ଧାନ କିଣାରେ ବିଳମ୍ବ ଅନ୍ୟପଟେ ଟୋକନ ସମସ୍ୟା ଚାଷୀଙ୍କୁ ହନ୍ତସନ୍ତ କଲାଣି । ୬ ମାସର ପରିଶ୍ରମ ପରେ ପୁଣି ଧାନ ବିକିବାକୁ ୨ ମାସର ସଂଘର୍ଷ ଚାଷୀକୂଳକୁ ଖୁବ ବାଧୁଛି ।
Follow Us