କନକ ବ୍ୟୁରୋ :  ମଞ୍ଚରେ ଓଁକାର ଧ୍ବନି, ମଞ୍ଚ ପାର୍ଶ୍ବରେ ମହାଦୀପ, ଝୁଣାର ମହକରେ ଦିବ୍ୟ-ଭବ୍ୟ-ଆଧ୍ୟାତ୍ମିକ ଲାଗୁଥିଲା ପୂରା ପରିବେଶ । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଆଜିର ମଞ୍ଚ ନଟରାଜଙ୍କୁ ଉତ୍ସର୍ଗ କରାଯାଇଥିଲା । ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ପଞ୍ଚଦଶ ବା ଶେଷ ସନ୍ଧ୍ୟାର ପ୍ରସଙ୍ଗ 'ଆଧ୍ୟାତ୍ମିକ ସାହିତ୍ୟ' ରହିଥିଲା । ଏହାକୁ ଉଦଘାଟନ କରିଥିଲେ ନେବଳ ଦାସ ମଠର ଅଧ୍ୟକ୍ଷ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ରାମଚରଣ ଦାସ ମହାରାଜ । ନିଜ ଆଶୀର୍ବଚନରେ ଶିବଙ୍କ ମହିମା ବଖାଣି ସେ କହିଥିଲେ, ଶଙ୍କର ଯେମିତି ଯୋଗୀ ସେମିତି ଭୋଗୀ । ସେ ଜଗତକୁ କେବଳ ଦେଇ ଜାଣିଛନ୍ତି । ଶିବମନ୍ଦିରକୁ ସମସ୍ତଙ୍କ ପ୍ରବେଶ ଥାଏ ।

Advertisment

ଆଳାପ ଅଧିବେଶନର ପ୍ରଥମ ଅଧ୍ୟାୟରେ 'ଶିବ ଉପାସନା: ସତ୍ୟ, ଶିବ, ସୁନ୍ଦରର ଉପାସନା' ପ୍ରସଙ୍ଗରେ ପରମହଂସ ଶ୍ରୀମଦ୍‌ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଓ ଶରଣାରବିନ୍ଦ ଓଝା ଆଳାପ କରିଥିଲେ । ଶିବ କହିଲେ ଯୋଗ । ସାହିତ୍ୟର ମୂଳ ବ୍ୟାକରଣ ଶଙ୍କରଙ୍କଠୁ ସୃଷ୍ଟି । ଶିବ ହେଉଛନ୍ତି ଆଦି ସାହିତ୍ୟିକ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ଆଳାପର ଦ୍ବିତୀୟ ଅଧ୍ୟାୟରେ 'ପରିପୂର୍ଣ୍ଣତାର ପ୍ରତୀକ ଶିବ' ପ୍ରସଙ୍ଗରେ ଅର୍ଚ୍ଚନା ନାୟକ ଓ ବନ୍ଦନା ମିଶ୍ର ଆଳାପ କରିଥିଲେ । ଏଥିରେ ଶିବଙ୍କ ମାହାତ୍ମ୍ୟ ନେଇ ତାତ୍ତ୍ବିକ ଆଲୋଚନା ହୋଇଥିଲା । 

ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ କୁମାର ଭୀମସେନ ଟିମ୍ ସହ ‘ନଟରାଜ’ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ଏହା ପରିବେଶକୁ କରିଥିଲା ମନ୍ତ୍ରମୁଗ୍ଧ । ଏହି ଅବସରରେ 'ସମ୍ବାଦ' ଓ 'କନକ ନ୍ୟୁଜ'ର ସମ୍ପାଦକ ତନୟା ପଟ୍ଟନାୟକ ‘ସମ୍ବାଦ ସାହିତ୍ୟ ପକ୍ଷ’ର ସଫଳତା ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ, ଗତବର୍ଷ ସାହିତ୍ୟ ପକ୍ଷ ଏକ ପରୀକ୍ଷା ଥିଲା । ଏଥର ୧୫ ଦିନରେ ସାହିତ୍ୟର ୧୫ଟି ପାଖୁଡ଼ାକୁ ଯୋଡ଼ାଯାଇଛି । ଆଗାମୀ ବର୍ଷ ଅନ୍ୟ ବିଭାଗକୁ ଯୋଡ଼ାଯିବ । ‘ସମ୍ବାଦ’ ଆରମ୍ଭରୁ ସାହିତ୍ୟମନସ୍କ ଥିଲା, ଅଛି ଓ ଆଗକୁ ରହିବ । ସ୍ଥାନୀୟ ସାହିତ୍ୟିକ, ଲେଖକ ଏବଂ କଳାକାରଙ୍କୁ ମଞ୍ଚ ଦେବାକୁ ଆସନ୍ତାବର୍ଷ ଭିତରେ ୧୫ ଜିଲ୍ଲାରେ ୧୫ଟି ସାହିତ୍ୟ ଆସର ହେବ । ଏହା ଅକ୍ଷୟ ତୃତୀୟାରୁ ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ ଘୋଷଣା କରିଥିଲେ । 
‘ଏକାମ୍ର ସାହିତ୍ୟ ସଂସଦ’ ଓ ‘ସୋମାକ’ସ୍ବେଚ୍ଛାସେବୀମାନଙ୍କ ସମେତ ଅନ୍ୟ ଅତିଥି ଓ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସମ୍ପାଦକ । ମଞ୍ଚ ପରିଚାଳନା କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ଅଦିତି ମହାନ୍ତି । ଆଜି ଜାଗର ଉପଲକ୍ଷେ ଅତିଥି ଓ ଦର୍ଶକଙ୍କୁ ପଣା ପରଷା ଯାଇଥିଲା ।