Sambad Sahitya Pakshya Photograph: (Kanak News)
କନକ ବ୍ୟୁରୋ : ଯେବେ କଲମ ଧରନ୍ତି ରାଜନେତା, ସେବେ ରାଜନୀତିର କଳାପଟାରେ ସୃଷ୍ଟିହୁଏ ଜନତାଙ୍କ ଜୀବନକୁ ନେଇ ସାହିତ୍ୟ । ଆଜି ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ୱିତୀୟ ସଂସ୍କରଣର ନବମ ସନ୍ଧ୍ୟାକୁ 'ରାଜନୀତି ସାହିତ୍ୟ' ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ମହାନ ଜନନାୟକ, ଲେଖକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମଞ୍ଚ ସମର୍ପିତ କରାଯାଇଥିଲା । ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ ପଞ୍ଚାନନ କାନୁନ୍ଗୋ ଆଜିର ସନ୍ଧ୍ୟାକୁ ଉଦଘାଟନ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ନିଜ ଆଶୀର୍ବଚନରେ ଶ୍ରୀ କାନୁନ୍ଗୋ କହିଥିଲେ, ରାଜନେତାଙ୍କ ଚାରିପାଖେ ଚରିତ୍ରମାନେ ଘୂରିବୁଲନ୍ତି । ରାଜନେତାମାନେ ହିଁ ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରିପାରିବେ ।
ଆଜିର ମଞ୍ଚରେ 'ରାଜନୈତିକ ଜୀବନ ସାହିତ୍ୟ ଲେଖିବାକୁ ଅନୁପ୍ରାଣିତ କରେ କି ?' ପ୍ରସଙ୍ଗରେ ଶ୍ରମିକ ନେତା ତଥା ଲେଖକ ମାୟାଧର ନାୟକଙ୍କ ସହ ଲେଖକ ଓ ଯୁବନେତା ଅମୀୟ ପାଣ୍ଡବ ଆଳାପ କରିଥିଲେ । ସାହିତ୍ୟର ଅଶ୍ରୁ, ରାଜନୀତିର ରକ୍ତ ଏକ ସାର୍ଥକ ସମୀକରଣ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
ଆଲୋଚନା ଅଧିବେଶନରେ ବିଶିଷ୍ଟ ରାଜନେତାଙ୍କୁ ନେଇ ଜମିଥିଲା ଆସର । 'ରାଜନୀତି ସାହିତ୍ୟର ପରିପନ୍ଥୀ କି?' ପ୍ରସଙ୍ଗରେ ସଂଜୟ ଦାସବର୍ମା, ଅରୁଣ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସାମିଲ ଥିଲେ । ଆଲୋଚନାକୁ ସଂଯୋଜନା କରିଥିଲେ ଦିଲ୍ଲୀପ ଶ୍ରୀଚନ୍ଦନ । ଏଥିରେ ମତ ପ୍ରକାଶ ପାଇଥିଲା, ସାହିତ୍ୟ ହେଉଛି ଏକ ଦୀର୍ଘକାଳୀନ ରାଜନୀତି; ରାଜନୀତି ହେଉଛି ଏକ ସ୍ୱଳ୍ପକାଳୀନ ସାହିତ୍ୟ । ରାଜନୀତି ଏକ ସୀମାବଦ୍ଧ ପୁଷ୍କରିଣୀ, ସାହିତ୍ୟ ସ୍ୱାଧୀନତାର ଏକ ମହାସାଗର । ଆଲୋଚକମାନେ କବିତା ସହ ନାଟକର ସଂଳାପ ବି ଶୁଣାଇଥିଲେ ।
ଆବୃତ୍ତି ଆସରକୁ ଭାବ ଓ ଆବେଗର ଶବ୍ଦ-ସ୍ୱରରେ ସଜେଇଥିଲେ କବି ସ୍ୱପ୍ନା ମିଶ୍ର, କବି ବେଦପ୍ରକାଶ ନାୟକ ଓ ଗାଳ୍ପିକା ଚିନ୍ମୟୀ ପଣ୍ଡା । ରାଜନୀତିକୁ ନେଇ ହାସ୍ୟ ଅଭିନେତା ପ୍ରଜ୍ଞା-ଶଙ୍କରଙ୍କ କମେଡି ତଡ଼କାରେ ହସିହସି ବେଦମ ହୋଇଥିଲେ ଦର୍ଶକ ଓ ଅତିଥି । 'କୋଠଘର’ ସାହିତ୍ୟ ଅନୁଷ୍ଠାନ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମଞ୍ଚ ସଂଯୋଜନା କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକା ମୋନାଲିସା ପରିଡ଼ା । ଆଜି ଓଡ଼ିଆ ଖାଦ୍ୟ ପୂର କାକରା-ଡାଲମା ଅତିଥି ଓ ଦର୍ଶକଙ୍କୁ ପରଷା ଯାଇଥିଲା ।
Follow Us