Sambad Sahitya Pakhya Photograph: (kanak news)
କନକ ବ୍ୟୁରୋ: ଛଳଛଳ ଆଖିପତାରୁ ଲୁହକୁ ଚିପୁଡ଼ିଦେବା କାମ କରେ ନାଟକ । ଯାହା ପଥରକୁ ମଣିଷ କରିବାକୁ ଚେଷ୍ଟା କରେ ତାହା ନାଟକ ବୋଲି ପ୍ରଖ୍ୟାତ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ କହିଛନ୍ତି । ଆଜି ‘ନାଟକ ସାହିତ୍ୟ’ ପ୍ରସଙ୍ଗରେ ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଚତୁର୍ଥ ସଂଧ୍ୟାକୁ ଉଦ୍ଘାଟନ କରି ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି । ନିଜ ଆଶୀର୍ବଚନରେ ସେ ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ସାହିତ୍ୟର କୁମ୍ଭମେଳା ବୋଲି ମଧ୍ୟ କହିଥିଲେ ।
ଆଧୁନିକ ଓଡ଼ିଆ ନାଟ୍ୟ ଆକାଶର ଉଜ୍ଜ୍ବଳ ତାରା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କୁ ଆଜିର ମଞ୍ଚ ସମର୍ପିତ ହୋଇଥିଲା । ଆଳାପ ଅଧିବେଶନରେ 'ନାଟକ ଓ ପାଠକ' ପ୍ରସଙ୍ଗରେ ସୁପ୍ରସିଦ୍ଧ ଲେଖିକା ସଂଘମିତ୍ରା ମିଶ୍ର କହିଥିଲେ, ନାଟକର ପାଠକ ହେଲେ ଦର୍ଶକ । ତାଙ୍କ ସହ ଆଳାପରେ ଥିଲେ ଶତ୍ରୁଜିତ୍ ।
ଦର୍ଶକ ସୃଷ୍ଟି ପାଇଁ ନାଟକ ଲୋକଙ୍କ ପାଖକୁ ଯିବା ଦରକାର । ନାଟକ କରୁଥିବା କର୍ମୀଙ୍କର ସମାଜ ପ୍ରତି ଅନେକ କର୍ତ୍ତବ୍ୟ ରହିଛି । ଦର୍ଶକ ଅଛନ୍ତି ବୋଲି ନାଟକ ଚାଲିଛି । ଯାହା ଅଟକିଯାଏନି ତାହା ନାଟକ ବୋଲି ଆଲୋଚନା ଅଧିବେଶନରେ ନାଟ୍ୟକର୍ମୀ ବିପ୍ଳବ ଶତପଥୀ, ସୋମନାଥ ବେହେରା ଓ ପ୍ରଦ୍ୟୁମ୍ନ କୁମାର ସାହୁ ମତ ପ୍ରକାଶ କରିଥିଲେ । 'ନାଟକରେ ଦର୍ଶକଙ୍କ ଅଭାବ କାହିଁକି ?' ପ୍ରସଙ୍ଗରେ ଆଜିର ନାଟକ ସାମ୍ନା କରୁଥିବା ସମସ୍ୟା ଓ ସଂଘର୍ଷ ଦିଗରେ ଏହି ଆଲୋଚନା ହୋଇଥିଲା । ଏହାର ସଂଯୋଜନା ଭାର ସମ୍ଭାଳିଥିଲେ ଆଶିଷ ସୋନାର । ବିଗତ ସଞ୍ଜ ପରି ଚତୁର୍ଥ ସଞ୍ଜର ମଞ୍ଚରେ ମନଛୁଆଁ କବିତା ଆବୃତ୍ତି କରିଥିଲେ କବି ନୃସିଂହ ତରାଇ, କବୀ ନିରୁପମା ବେହେରା ଏବଂ କ୍ଷୁଦ୍ରଗଳ୍ପ ପଠନ କରିଥିଲେ ଗାଳ୍ପିକା ରୋଜାଲିନି ମିଶ୍ର ।
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କୁ ନେଇ ଭକ୍ତି-ଭାବର ନାଟ୍ୟାଂଶ 'ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ' ପରିବେଷିତ ହୋଇଥିଲା । ଏହା ପରିବେଶକୁ ଭାବ ବିହ୍ବଳ କରିଥିଲା । ଆର୍ତ୍ତତ୍ରାଣ ଶତପଥୀ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଲାଲା ବିରେନ ରାୟ । ଗୋବିନ୍ଦ, ବିପ୍ରଞ୍ଜୟ ଏବଂ କଳ୍ପନା ଏଥିରେ ଅଭିନୟ କରିଥିଲେ । ଆଜିର ମଞ୍ଚରେ 'ଓଡ଼ିଶା ଲେଖକ ସମବାୟ ସମିତି' ଓ 'ଧଉଳି ସାହିତ୍ୟ ସଂସଦ'ର ସଦସ୍ୟମାନଙ୍କ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ନାଟକ ସାହିତ୍ୟକୁ ନେଇ ପ୍ରଶ୍ନୋତ୍ତର ପେଡ଼ି ଖୋଲିବା ସହ ମଞ୍ଚ ସଂଯୋଜନା ବି କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକା ପ୍ରଗତି ସାହୁ ।
ବିଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲେଖକ ଓ ଅତିଥି ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ସାମିଲ ହୋଇଥିବା ବେଳେ ଏହି କ୍ରମରେ ଚତୁର୍ଥ ସଞ୍ଜରେ ସୋନପୁର, ସମ୍ବଲପୁର ଏବଂ ଗଞ୍ଜାମରୁ ଲେଖକ ଓ ଅତିଥି ସାମିଲ ଥିଲେ । ଆଜିର ସଞ୍ଜରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଚକୁଳି-ଆଳୁକଷା ପରଷା ଯାଇଥିଲା ।
Follow Us