କନକ ବ୍ୟୁରୋ: ଆରମ୍ଭ ହେଲା ସାହିତ୍ୟର ମହାକୁମ୍ଭ  ‘ସମ୍ବାଦ ସାହିତ୍ୟ ପକ୍ଷ’ । 'ସମ୍ବାଦ' ପକ୍ଷରୁ ଆୟୋଜିତ ୧୫ ଦିନିଆ 'ସାହିତ୍ୟ ପକ୍ଷ' ୨ୟ ସଂସ୍କରଣର ଉଦଘାଟନ ଉତ୍ସବ 'ଆମ ଓଡ଼ିଶା'ର ନୂତନ କାର୍ଯ୍ୟାଳୟ ରେ  ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିବସର ପ୍ରସଙ୍ଗ ଉପନ୍ୟାସ ସାହିତ୍ୟ ଥିବାବେଳେ ମଞ୍ଚ ମହାନ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କୁ ସମର୍ପିତ କରାଯାଇଥିଲା l  ବୃକ୍ଷରେ ଜଳଦାନ କରି କାର୍ଯ୍ୟକ୍ରମ ର  ଶୁଭାରମ୍ଭ କରିଥିଲେ ବିଶିଷ୍ଟ ଔପନ୍ୟାସିକା ତଥା ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ l ଆଶୀର୍ବଚନ ଦେଇ ଶ୍ରୀମତୀ ରାୟ କହିଥିଲେ, 'ସମ୍ବାଦ ସାହିତ୍ୟ ପକ୍ଷ' ଏକ ଅଭିନବ ଉତ୍ସବ l ସାହିତ୍ୟରେ ଶୀତ ନଥାଏ, ସବୁବେଳେ ବସନ୍ତ ଋତୁ ଥାଏ l ସାହିତ୍ୟିକର ମନ ସବୁବେଳେ ସବୁଜ l ସାହିତ୍ୟର ଗୋଟିଏ ପକ୍ଷ, ତାହା ନିରପେକ୍ଷ l ସାହିତ୍ୟ ଦୂରରୁ ରାଜନୀତିକୁ ଦେଖେ ଓ ଲେଖେ l ସାହିତ୍ୟ ହେଉଛି ଜୀବନ, ସାହିତ୍ୟ ବାଦ୍ ଜୀବନ ନାହିଁ l ସାହିତ୍ୟରେ ନକରାତ୍ମକ ବୋଲି କିଛି ନାହିଁ । ‘ସମ୍ବାଦ’ର ପ୍ରଶଂସା କରି ସେ କହିଥିଲେ, ଏହି ଖବରକାଗଜରୁ ଅନେକ ସାହିତ୍ୟିକ ଜନ୍ମ ନିଅନ୍ତି l 'ସାହିତ୍ୟ ପକ୍ଷ' ପୂର୍ବପୁରୁଷମାନଙ୍କୁ ମନେପକେଇବାର ତର୍ପଣ ପକ୍ଷ l ପ୍ରତି ଲେଖକର ନମ୍ର-ନିର୍ଭିକ ଅହଙ୍କାର ରହିବା ଦରକାର ବୋଲି ଶ୍ରୀମତୀ ରାୟ କହିଥିଲେ l 

Advertisment

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରି ଭାଷା ଓ ଭାବକୁ ନେଇ ମଣିଷ ଯେତେ ପ୍ରକାର ଖେଳ ଖେଳେ ତାହା ହିଁ ସାହିତ୍ୟ ବୋଲି କହିଥିଲେ। ସାହିତ୍ୟ ଖେଳ ପରି ସମସ୍ତଙ୍କୁ ଆମୋଦ ଦେବା ସହିତ ଶୃଙ୍ଖଳିତ ଓ ଏକାଠି କରାଏ। ସମୂହ ହିତସାଧନ ସାହିତ୍ୟ ଓ ରାଜନୀତିର ଏକମାତ୍ର ଲକ୍ଷ୍ୟ। ତେଣୁ ଉଭୟ ଏକାଠି ହୋଇ ଓଡ଼ିଆ ଭାଷା, ସଂସ୍କୃତିର ପକ୍ଷଭୁକ୍ତ ହେବା ଉଚିତ ବୋଲି ସେ କହିଥିଲେ। 'ସମ୍ଵାଦ' ଓ ସାହିତ୍ୟର ସମ୍ପର୍କ ମୂଳରୁ ଅତି ନିବିଡ଼ ବୋଲି ସେ କହିଥିଲେ l

ଏହି ଅବସରରେ 'ସମ୍ବାଦ' ଓ 'କନକ ନ୍ୟୁଜ'ର ସମ୍ପାଦକ ତନୟା ପଟ୍ଟନାୟକ ‘ସମ୍ବାଦ ସାହିତ୍ୟ ପକ୍ଷ’ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଛି ବୋଲି କହିଥିଲେ l ଏହା ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରେରଣା ଦେଇଛି l ‘ସାହିତ୍ୟ ପକ୍ଷ’ ଏମିତି ଏକ ପରିକଳ୍ପନା, ଯେଉଁଠି ରହିଛି ୧୫ ଦିନର ସାହିତ୍ୟ ଯାତ୍ରା l ଚିନ୍ତାର ଚିତ୍ରଣ, ସ୍ବପ୍ନର ସଂଗୀତ ଓ ସମାଜ ପରିବର୍ତ୍ତନର ମାଧ୍ୟମ  । ସେ ପାଠକ ଓ ଦର୍ଶକମାନଙ୍କୁ ଆହୁରି କହିଥିଲେ, "ଆପଣମାନେ ଆମ ହାତ ଧରି ଚାଲିଲେ ଆମେ ସାହସର ସହ ଚାଲିବୁ l 'ସମ୍ବାଦ' ସମସ୍ତଙ୍କର, ସାହିତ୍ୟ ସମସ୍ତଙ୍କର ଏବଂ 'ସାହିତ୍ୟ ପକ୍ଷ' ମଧ୍ୟ ସମସ୍ତଙ୍କର l" ଏହି ପ୍ରୟାସ ଜରିଆରେ ଓଡ଼ିଆ ସାହିତ୍ୟ ନିହାତି କଡ଼ ଲେଉଟାଇବ ବୋଲି ଶ୍ରୀମତୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ l

ଏହାପରେ ‘ଓଡ଼ିଆ ବଡ଼ ଉପନ୍ୟାସ ଆଉ ଆସୁନି: ଲେଖକ ଦାୟୀ ନା ପାଠକ’ ପ୍ରସଙ୍ଗରେ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ସହ 'ଆଳାପ' କରିଥିଲେ ଯୁବ ଲେଖିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ l ସେହିପରି ‘ଉପନ୍ୟାସରେ ସାଂପ୍ରତିକ ଓଡ଼ିଶା ଚରିତ୍ର ଅଛି ଚିତ୍ର ନାହିଁ !’ ପ୍ରସଙ୍ଗରେ 'ଆଲୋଚନା'ରେ ଯୋଗ ଦେଇଥିଲେ ତିନିଜଣ ବିଶିଷ୍ଟ କଥାକାର ମାନସୀ ଦାସ, ଜ୍ୟୋତି ନନ୍ଦ, ବିୟତପ୍ରଜ୍ଞା ତ୍ରିପାଠୀ l ଆଲୋଚନାକୁ ସଂଯୋଜନା କରିଥିଲେ ଔପନ୍ୟାସିକା ସ୍ଵାଗତିକା ସ୍ଵାଇଁ l

ଆଜି ମଞ୍ଚରେ କବିତା ଆବୃତ୍ତି କରିଥିଲେ କବି ମନୁଆ ଦାସ ଓ ପିନାକୀ ମିଶ୍ର, ଗଳ୍ପ ପଠନ କରିଥିଲେ ଗାଳ୍ପିକ ବିଚିତ୍ର ବିଶ୍ଵାଳ। ଏହି ଅବସରରେ ପ୍ରତିଭା ରାୟଙ୍କ ରଚିତ 'ଯାଜ୍ଞସେନୀ' ଉପନ୍ୟାସର ଏକ ଅଂଶର ନାଟ୍ୟାୟନ ପରିବେଷଣ କରାଯାଇଥିଲା । ସେଥିରେ ଅଭିନେତ୍ରୀ ବିଏମ ବୈଶାଲୀ, ଶ୍ରୀଚନ୍ଦନ ନାୟକ, ସୁବେଦିତ ସାମଲ ଅଭିନୟ କରିଥିବା ବେଳେ ନାଟକକୁ ପରିଚାଳନା କରିଥିଲେ ବିପ୍ରଞ୍ଜୟ ନାୟକ । ଏହି ଅବସରରେ ‘ସାହିତ୍ୟାୟନ’ର ସମ୍ପାଦକ ସୂର୍ଯ୍ୟମଣି ତ୍ରିପାଠୀ ଏବଂ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ ଅତିଥି ଲେଖକଙ୍କୁ ସମ୍ପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ମିଲନ ଘଟୁଆରୀ ମଞ୍ଚ ସଂଯୋଜନା କରିଥିଲେ , ଆର୍.ଜେ ଅନିଲ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ 'କଥା'ର କାର୍ଯ୍ୟକାରୀ ସମ୍ପାଦକ ଆଶିଷ ଗଡ଼ନାୟକ l

ଆସନ୍ତା  ୧୪ ତାରିଖର 'ସାହିତ୍ୟ ପକ୍ଷ' ମଞ୍ଚ ପ୍ରେମ ପ୍ରତି ନିବେଦିତ l ସେଦିନ ପ୍ରେମ ଆଧାରିତ ମିନି ଗଳ୍ପ ଏବଂ କବିତା ପାଠ କରାଯିବା କାର୍ଯ୍ୟକ୍ରମ ରହିଛି l ସେଥିପାଇଁ ଲେଖକମାନେ ହ୍ବାଟସ୍‌ଆପ୍‌ ନଂ ୬୩୭୨୯୦୪୭୧୭  ନିଜ ଲେଖା ପଠାଇ ପାରିବେ । ନିର୍ବାଚିତ ମିନି ଗଳ୍ପ ଓ କବିତା ମୁକ୍ତ ମଞ୍ଚରେ ପାଠ କରାଯିବ l