ଭୁବନେଶ୍ବର: ମଞ୍ଚ ଉତ୍ସର୍ଗ ହୋଇଥିଲା ବିଶିଷ୍ଟ ବ୍ୟଙ୍ଗ କବି ତଥା ଓଡ଼ିଆ ବ୍ୟଙ୍ଗ ସାହିତ୍ୟର ସ୍ରଷ୍ଟା ଫତୁରାନନ୍ଦଙ୍କୁ। ଆଳାପ, ଅଭିଯୁକ୍ତି, ଆଲୋଚନା ଓ କବିତା ମାଧ୍ୟମରେ ମଞ୍ଚରେ ବଢ଼ାଯାଇଥିଲା ଭଳିକି ଭଳି ବ୍ୟଙ୍ଗ ବ୍ୟଞ୍ଜନ। ଯାହାକୁ ଖାଇ ହସି ହସି ବେଦମ ହୋଇଥିଲେ ସୃଜନଶୀଳ ଦର୍ଶକବୃନ୍ଦ। କିଛି ସମୟ ପାଇଁ ମନଖୋଲା ହସିଥିଲେ। ଆଉ ‘ସମ୍ବାଦ ସାହିତ୍ୟପକ୍ଷ’ର ଏଭଳି ନିଆରା ପଦକ୍ଷେପକୁ ଭୂରିଭୂରି ପ୍ରଶଂସା କରିଥିଲେ। ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟପକ୍ଷ’ର ତ୍ରୟୋଦଶ ତଥା ଶେଷ ସନ୍ଧ୍ୟା ଏମିତି ହାସ୍ୟ ରସାସିକ୍ତ ହୋଇଥିଲା। ଆସନ୍ତାକାଲି (ଶୁକ୍ରବାର) ରାତି ୮ରୁ ୯ଟା ଯାଏଁ କନକ ନ୍ୟୁଜ୍‌ରେ ସାହିତ୍ୟପକ୍ଷ ପ୍ରସାରିତ ହେବ। ସେହିପରି ଶନିବାର ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ‘ସମ୍ବାଦ ସାହିତ୍ୟପକ୍ଷ’ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ପ୍ରସାରିତ ହେବ।   

Advertisment

ବିଶିଷ୍ଟ କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଶୀର୍ବାଦରୁ ଗୁରୁବାର ‘ବ୍ୟଙ୍ଗ ସାହିତ୍ୟ’ ମଞ୍ଚରେ ବିବିଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବକ୍ତବ୍ୟରେ ଶ୍ରୀ ପାଟ୍ଟଶାଣୀ କହିଥିଲେ ‘ରାଜନୀତି ମୋ ପାଇଁ ସ୍ବଳ୍ପକାଳୀନ ସାହିତ୍ୟ.., ଆଉ ସାହିତ୍ୟ ମୋ ପାଇଁ ଦୀର୍ଘକାଳୀନ ରାଜନୀତି’। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆନୁଷ୍ଠାନିକ ବକ୍ତବ୍ୟ ପ୍ରଦାନ କରି କହିଲେ, ଓଡ଼ିଶାରେ ବର୍ତ୍ତମାନ ଭାବଗତ ଏକତା ସଙ୍କଟ  ସୃଷ୍ଟି କରିବାକୁ କିଛି ଲୋକ ଚେଷ୍ଟା କରୁଛନ୍ତି। ସାହିତ୍ୟ ମଧ୍ୟ ଗୋଷ୍ଠୀ କନ୍ଦଳରେ ବିଭକ୍ତ। ଯାହା ସାହିତ୍ୟ ପାଇଁ ଆଦୌ ଶୁଭ ଲକ୍ଷଣ ନୁହେଁ। ଏଥିପାଇଁ ‘ସମ୍ବାଦ’ ପ୍ରଥମରୁ ଓଡ଼ିଶାର ସବୁ ସାହିତ୍ୟିକଙ୍କୁ ଏକାଠି କରି ଭାବଗତ ଏକତା ଆଣିବା ପାଇଁ ଚେଷ୍ଟା କରିଛି। ଅନ୍ୟପଟେ ସମାଲୋଚନାକୁ ଗ୍ରହଣ କରିବାର ମାନସିକତା ଆମର କମି କମି ଯାଉଛି। ସେଥିପାଇଁ ବ୍ୟଙ୍ଗ ସାହିତ୍ୟ ଯେତିକି ଗ୍ରହଣୀୟ ହେବା କଥା ତାହା ହୋଇପାରୁନାହିଁ। ବ୍ୟଙ୍ଗ ସାହିତ୍ୟିକମାନେ ପାଠକଙ୍କ ଭିତରେ ବ୍ୟଙ୍ଗକୁ ଗ୍ରହଣ କରିବାର ମାନସିକତା ତିଆରି କରି ପାରିନାହାନ୍ତି ବୋଲି ବ୍ୟଙ୍ଗସାହିତ୍ୟ ସମୃଦ୍ଧ ହୋଇ ପାରିନାହିଁ। 
ଆଜି ‘କନକ ନ୍ୟୁଜ୍‌’ରେ
ସମାଲୋଚନାକୁ ଗ୍ରହଣ କରିବାର ମାନସିକତା କମିଯାଉଛି: ସୌମ୍ୟରଂଜନ 
ଦର୍ଶକ ହିଁ ସାହିତ୍ୟପକ୍ଷ ସଫଳତାର ପ୍ରକୃତ ନାୟକ: ତନୟା
‘ସମ୍ବାଦ ସାହିତ୍ୟପକ୍ଷ’ର ତ୍ରୟୋଦଶ ତଥା ମଞ୍ଚର ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ସଦସ୍ୟ, ଦର୍ଶକ ଓ ସାହିତ୍ୟପ୍ରେମୀଙ୍କୁ କୃତଜ୍ଞତା ଜଣାଇଥିଲେ ‘ସମ୍ବାଦ’ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ। ସାହିତ୍ୟପକ୍ଷରେ ୨୦୦ରୁ ଅଧିକ କଳା ସାହିତ୍ୟର ପ୍ରତିନିଧି ଯୋଡ଼ି ହେବାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ କାର୍ଯ୍ୟକ୍ରମ ସଫଳତାର ଦର୍ଶକ ହିଁ ପ୍ରକୃତ ନାୟକ ବୋଲି କହିଥିଲେ। ନାଟକୀୟ ଉପସ୍ଥାପନା ବ୍ୟଙ୍ଗ ସାହିତ୍ୟକୁ ପ୍ରଭାବିତ କରେ କି? ଏହି ବିଷୟରେ ‘ଆଲୋଚନା’ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବ୍ୟଙ୍ଗ କବି ରମାକାନ୍ତ ମହାପାତ୍ରଙ୍କ ସଂଚାଳନରେ ବିଶିଷ୍ଟ ବ୍ୟଙ୍ଗ କବି ମାଧବ ସ୍ବାଇଁ ନିଜ ଅଭିଜ୍ଞତା ବଖାଣିଥିଲେ। ଶ୍ରୀଯୁକ୍ତ ସତ୍ୟାନାଶ ଅଭିଯୋଗ କରି କହିଲେ, ସାହିତ୍ୟିକମାନଙ୍କର ବ୍ୟଙ୍ଗ ସାହିତ୍ୟ ପ୍ରତି ଆଦର ନାହିଁ। ଜ୍ଞାନ ହୋତା କହିଲେ, ନାଟକୀୟତା ବ୍ୟଙ୍ଗ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ଏହାପରେ କବି ଅନୁସୂୟା ମଞ୍ଚରେ ବ୍ୟଙ୍ଗ କବିତା ଆବୃତ୍ତି କରି ଦର୍ଶକଙ୍କ ମନ ଜିଣିଥିଲେ। ଆଜି ‘ଅଭିବ୍ୟକ୍ତି’ ଅଧିବେଶନ ମଧ୍ୟ ହର୍ଷଉଲ୍ଲାସରେ ଭରି ଯାଇଥିଲା। ଶ୍ରୀମାନ ସର୍ବଗିଳା, ଡ. କୁଳାଙ୍ଗାର ଓ କବି ଦୁର୍ବଳିଆ ମଞ୍ଚରେ ବ୍ୟଙ୍ଗ କବିତା ପାଠ କରି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲେ। 

ଏହି ଅବସରରେ କଲିକତାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଥିବା ସାହିତ୍ୟ ପତ୍ରିକା ‘ପ୍ରତିବେଶୀ’ର ଡ. ସୁଧାଂଶୁବାଳା ସାହୁ ଏବଂ ‘ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ’ର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ, ସମ୍ପାଦକ ଶ୍ରୀମତୀ ପଟ୍ଟନାୟକଙ୍କ ସମେତ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପ‌ାଠୀ, ‘କନକ ନ୍ୟୁଜ୍‌’ ସିଇଓ ରତିକାନ୍ତ ଶତପଥୀ, ‘ସମ୍ବାଦ’ର ଡେପୁଟି ଏଡିଟର ଧୃତିକାମ ମହାନ୍ତି, ଏଜିଏମ୍‌ ଆଶିଷ ଗଡ଼ନାୟକ ପ୍ରମୁଖ ଆର୍‌ଜେ ଅନୀଲ, ଶ୍ରୀନିବାସ ଘଟୁଆରୀ, ଉପସ୍ଥିତ ଅତିଥି ଏବଂ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ। ଆଜି ବ୍ୟଙ୍ଗ ସାହିତ୍ୟ ଆସରରେ ପ୍ରଶ୍ନରେ ପ୍ରଶ୍ନରେ ଉତ୍ତର ମାଗି ହସେଇ ହସେଇ ବେଦମ କରିଥିଲେ ଆର୍‌ଜେ ଅନିଲ। ଆର୍‌ଜେ ସଂଗ୍ରାମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରୀ। ସାମ୍ବାଦିକ ବସନ୍ତରାଜ ସାହୁ ଧନ୍ୟବାଦ ଦେଇଥିଲେ।