କନକ ବ୍ୟୁରୋ :ମଞ୍ଚରେ ଆଲୋଚନା ସହିତ ସଂଳାପ, ତଳେ ତାଳି । ଯାତ୍ରା ପଣ୍ଡିତଙ୍କ ସାରଗର୍ଭକ ମତବିନିମୟ, ଅଭିନେତାଙ୍କ ମନଛୁଆଁ ଡାଇଲଗରେ କମ୍ପିଲା ସାହିତ୍ୟ ମଞ୍ଚ ଓ ପୂରା ପରିବେଶ । ଆଜି ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଅଷ୍ଟମ ସନ୍ଧ୍ୟାର ମଞ୍ଚ ମହାନ ନାଟ୍ୟକାର ବାଳକୃଷ୍ଣ ମହାନ୍ତିଙ୍କୁ ସମର୍ପିତ ହୋଇଥିଲା । ‘ଯାତ୍ରା ସାହିତ୍ୟ’ ପ୍ରସଙ୍ଗରେ ଆଜିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବରିଷ୍ଠ ନାଟ୍ୟକାର ସୁଧାଂଶୁ ନାୟକ । ଆଶୀର୍ବଚନ ପ୍ରଦାନ କରି ଶ୍ରୀ ନାୟକ କହିଥିଲେ, ‘ସାହିତ୍ୟ ପକ୍ଷ’ ଏକ ଅନନ୍ୟ ଓ ଅବିସ୍ମରଣୀୟ ପଦକ୍ଷେପ । ଏ ପ୍ରୟାସ ଆୟୁଷ୍ମାନ ହେଉ ।ଆଳାପ ଅଧିବେଶନରେ ‘ଯାତ୍ରା ଲେଖକ ଓ ନିର୍ଦ୍ଦେଶକଙ୍କ ଭିତରେ ସମ୍ପର୍କ ଏବର ନାଟକ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ? ’ ପ୍ରସଙ୍ଗରେ ନାଟ୍ୟକାର ବିଜୟ ଦାସ ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବିରେନ୍ ରାୟ ଆଳାପ କରିଥିଲେ । ନାଟ୍ୟକାର ନାଟକର ମାଆ, ନିର୍ଦ୍ଦେଶକ ବାପା । ନାଟ୍ୟକାର-ନିର୍ଦ୍ଦେଶକଙ୍କ ଭିତରେ ତାଳମେଳ ରହିଲେ ନାଟକ ସଫଳ ହୁଏ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
ଅଧିକ ପଢ଼ନ୍ତୁ : ‘ସମ୍ବାଦ ସାହିତ୍ୟ ପକ୍ଷ’ ସପ୍ତମ ସନ୍ଧ୍ୟା; ସମ୍ବାଦ ଓ ସାହିତ୍ୟ ପୃଥକ ନୁହେଁ
‘ଓଡ଼ିଆ ଯାତ୍ରା ନାଟକର ସାମାଜିକ ଦାୟିତ୍ଵବୋଧ' ପ୍ରସଙ୍ଗରେ ଆଜିର ଆଲୋଚନାରେ ସାମିଲ ଥିଲେ ନାଟ୍ୟ ଲେଖକ ଆଶୁତୋଷ ମହାପାତ୍ର, ଶତରୁପା ମିଶ୍ର ଓ ନିହାର ମହାନ୍ତି । ଏହାକୁ ସଂଯୋଜନା କରିଥିଲେ ବରିଷ୍ଠ ନାଟ୍ୟକାର ହର ବାରିକ । ଯାତ୍ରାକୁ କେହି ସାହିତ୍ୟ ବୋଲି ସ୍ବୀକାର କରିନଥିଲେ, ପ୍ରଥମ ଥର ପାଇଁ ‘ସମ୍ବାଦ’ ସ୍ବୀକାର କରିଛି ବୋଲି ଆଲୋଚକମାନେ ପ୍ରଶଂସା କରି କହିଥିଲେ । ଆବୃତ୍ତି ଅଧିବେଶନରେ କବି ରୁନୁ ମହାନ୍ତି, କବି କ୍ଷଣପ୍ରଭା ମହାନ୍ତି ଏବଂ ଗାଳ୍ପିକା କମଳିନୀ ମଲ୍ଲିକଙ୍କ ଶବ୍ଦନାଦରେ ଝୁମିଥିଲେ ଦର୍ଶକ । ଯାତ୍ରା ସୁପରଷ୍ଟାର ବିନୋଦ ଏବଂ ‘ଚଣ୍ଡାଶୋକ’ର ଅଭିନେତା ରୁଦ୍ର ଓ ଅଭିନେତ୍ରୀ ସ୍ମରଣିକାଙ୍କ ଦମଦାର ସଂଳାପରେ ଆଜି ଉଛୁଳିଥିଲା ‘ସାହିତ୍ୟ ପକ୍ଷ’ ମଞ୍ଚ । 'ଶ୍ୱେତସଂକେତ’ ଅନୁଷ୍ଠାନ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମଞ୍ଚ ସଂଯୋଜନାର ଭାର ସମ୍ଭାଳିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଜ୍ଞା ନିବେଦିତା ନାୟକ । ଆଜି ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ଦହିବରା-ଆଳୁଦମ୍ ପରଷା ଯାଇଥିଲା ।
Follow Us