କନକ ବ୍ୟୁରୋ : ବର୍ଷ ସରୁଛି, ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏସବୁ ଭିତରେ କନକ ନ୍ୟୁଜ ତରଫରୁ ଆୟୋଜିତ ହୋଇଛି ନ୍ୟୁଜ ମେକର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ଯୋଗ ଦେଇଛନ୍ତି । ତା ଭିତରେ ସମ୍ବାଦ ଗ୍ରୁପର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଅନେକ କିଛି କହିଛନ୍ତି । ସେ କହିଛନ୍ତି କି, ଅନ୍ୟ ବର୍ଷ ତୁଳନାରେ ୨୦୨୪ ବର୍ଷଟି ବେଶ୍ ଉଲ୍ଲେଖନୀୟ ରହିଥିଲା । ଏହାସହ ୨୪ ବର୍ଷ ପରେ ଗୋଟିଏ ନିର୍ଦ୍ଧିଷ୍ଠ ରାଜନୈତିକ ଦଳର ପରାଜୟକୁ ସେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କି ୨୪ ବର୍ଷର ଶାସନ ୨୦୨୪ ରେ ବଦଳିବା ଏକ ଆଲୋଚ୍ୟ ବିଷୟ । ହେଲେ ନିର୍ବାଚନ ଜିତିବା ଓ ହାରିବା ପଛରେ "ଅସ୍ମିତା' ଏକ ପ୍ରମୁଖ ଭୂମିକା ନେଇଥିବା କଥା ସ୍ୱୀକାର କରିଛନ୍ତି । "ଅସ୍ମିତା' କାହାପାଇଁ ବିଜୟ ଆଣିଲା, ତ କାହାକୁ ପରାଜିତ କଲା, ହେଲେ ଆଜି ପର୍ଯ୍ୟନ୍ତ ଓଡିଆ ଜାତିର ଅସ୍ମିତାର ବିଜୟ ହୋଇନଥିବା କଥା ସେ କହିଛନ୍ତି । ସେପଟେ ବିଜେଡିର ପରାଜୟ ପଛରେ ଅହଂକାର ଏକ ମୁଖ୍ୟ କାରଣ ବୋଲି ସୌମ୍ୟରଂଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।