କନକ ବ୍ୟୁରୋ: ଆଜି ‘ସମ୍ବାଦ-ଆମ ଓଡ଼ିଶା’ର ବିଦ୍ୟାଳୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା। ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଏହି ପ୍ରତିଯୋଗିତା ରାଜ୍ୟର ସମସ୍ତ ବ୍ଲକ୍‌ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ହେବ । ପ୍ରାୟ ୬୦୦ଟି ପରୀକ୍ଷା କେନ୍ଦ୍ରରେ ହେବ ଭାଷାଜ୍ଞାନ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା । ଯେଉଁଥିରେ ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାଁ ପଞ୍ଜୀକରଣ କରିଛନ୍ତି । ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ପଢ଼ୁଥିବା ବିଦ୍ୟାଳୟର ପରିଚୟପତ୍ର ଦେଖାଇ ପ୍ରତିଯୋଗିତାରେ ଭାଗ ନେଇପାରିବେ । 

Advertisment

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ରହିଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ସମୟ ଅବଧି ୧ ଘଣ୍ଟା ରହିଥିବା ବେଳେ ହସ୍ତାକ୍ଷର ପାଇଁ ୩୦ ମିନିଟ୍‌ ସମୟ ରଖାଯାଇଛି । ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ବିଷୟବସ୍ତୁ ପ୍ରଦାନ କରାଯିବ । ପରୀକ୍ଷା କେନ୍ଦ୍ରରେ ହିଁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ବିଜେତାଙ୍କୁ ପୁରସ୍କୃତ କରାଯିବ । 

 ରାଜ୍ୟସ୍ତରରେ ପୁନଃମୂଲ୍ୟାୟନ ହୋଇ ପ୍ରତି ବିଭାଗରେ ୩ ଲେଖାଏଁ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ । ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ର‌ରେ ସମ୍ବର୍ଦ୍ଧିତ କରାଯିବ । ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରୁଥିବାରୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।