କନକ ବ୍ୟୁରୋ : ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ମହାନ ସମାଜବାଦୀ ପାର୍ଟି ନେତା କର୍ପୁରୀ ଠାକୁରଙ୍କ ମୃତ୍ୟୁକୁ ୩୭ ବର୍ଷ ହେଲାଣି । ହେଲେ ବିହାରରେ ନିର୍ବାଚନ ଆସିଲେ କର୍ପୁରୀ ଠାକୁରଙ୍କୁ ନେଇ ଆଲୋଚନା ଜୋର ଧରିଥାଏ । ନା ସେ କେବଳ ସମାଜବାଦୀ ବିଚାରଧାରାର ରାଜନେତା ଥିଲେ, ତାଙ୍କ ନିକଟତର ହେବାକୁ ବିଜେପି ଓ କଂଗ୍ରେସ ମଧ୍ୟ ଅନେକ ସମୟରେ ଚେଷ୍ଟା କରିଛନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଜନସ୍ୱରାଜ ତରଫରୁ କର୍ପୁରୀ ଠାକୁରଙ୍କ ନାମ କୌଣସି ନା କୌଣସି ଉପାୟରେ ଦଳ ସହିତ ଯୋଡ଼ା ଯାଇଛି ।
ଜନସ୍ୱରାଜ ପ୍ରମୁଖ ପ୍ରଶାନ୍ତ କିଶୋର ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦଳ ତରଫରୁ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରଶାନ୍ତ କିଶୋର ବିହାର ମୋରବା ଆସନ ପାଇଁ କର୍ପୁରୀ ଠାକୁରଙ୍କ ନାତୁଣୀ ଜାଗ୍ରୁତି ଠାକୁରଙ୍କ ନାମ ଘୋଷଣା କରିଛନ୍ତି ।
ଜାଗ୍ରୁତି ଠାକୁର କର୍ପୁରୀ ଠାକୁରଙ୍କ ସାନ ପୁଅ ବିରେନ୍ଦ୍ର ନାଥ ଠାକୁରଙ୍କ କନ୍ୟା । ସେପଟେ ଜାଗ୍ରୁତିଙ୍କ ବଡ଼ ବାପା ରାମନାଥ ଠାକୁର ଜେଡିୟୁ ସମର୍ଥନରେ ରାଜ୍ୟସଭା ସାଂସଦ ଅଛନ୍ତି । ସେ ଏବେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ବି ଅଛନ୍ତି । ସେ କୃଷି ଓ କିଷାନ କଲ୍ୟାଣ ରାଜ୍ୟମନ୍ତ୍ରି ଦାୟିତ୍ୱରେ ଅଛନ୍ତି ।
ବିହାରରେ ସମାଜବାଦୀ ରାଜନୀତି କରୁଥିବା ଲାଲୁ ଯାଦବ ଓ ନୀତିଶ କୁମାର କର୍ପୁରୀ ଠାକୁରଙ୍କ ଶିଷ୍ୟ ବୋଲି ବିଭିନ୍ନ ସଭା ସମିତିରେ କହିଥାନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ କର୍ପୁରୀ ଠାକୁରଙ୍କୁ ନେଇ ଆରଜେଡି ଓ ଜେଡିୟୁ ବିଭିନ୍ନ ଦାବି ମଧ୍ୟ କରିଆସୁଛନ୍ତି ।