କନକ ବ୍ୟୁରୋ: ମୁମ୍ବାଇ ସ୍ଥିତ ନିଜ ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି ବଲିଉଡ୍‌ର ଦବଙ୍ଗ ସଲ୍‌ମାନ୍‌ ଖାନ । ସଲମାନଙ୍କ ଏହି ଆପାର୍ଟମେଣ୍ଟ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା । ସଲମାନଙ୍କ ଏହି ଆପାର୍ଟମେଣ୍ଟର ଡିଲ୍‌ ମାତ୍ର ଏକ ମାସରେ ପଞ୍ଜିକୃତ ହୋଇଛି । ମୁମ୍ବାଇର ବାନ୍ଦ୍ରା ୱେଷ୍ଟ୍‌ ସହରର ସବୁଠାରୁ ଆକର୍ଷଣୀୟ ଏବଂ ମହଙ୍ଗା ରିଅଲ ଇଷ୍ଟେଟ୍ ବଜାର ମଧ୍ୟରୁ ଗୋଟିଏ, ଏଠାରେ ପ୍ରିମିୟମ୍ ହାଉସିଂ ଏବଂ ବାଣିଜ୍ୟିକ ସମ୍ପତ୍ତି ଉପଲବ୍ଧ । 

Advertisment

ଏହି ଆପାର୍ଟମେଣ୍ଟ କିଣିବା ପରେ ଏହାକୁ ୩୬ ମାସ ପାଇଁ ଭଡ଼ାରେ ଲଗାଇଥିଲେ ସଲମାନ ଖାନ୍‌ । ଏହି ଆପାର୍ଟମେଣ୍ଟର ସେ ବିଗତ ୩ ବର୍ଷ ମଧ୍ୟରେ ୫୬ ଲକ୍ଷରୁ ଅଧିକ ଟଙ୍କା ଲାଭ କରିଛନ୍ତି । ପ୍ରଥମ ବର୍ଷରେ ଭଡ଼ାଟିଆ ପ୍ରତିମାସରେ ୧.୫୦ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଦ୍ୱିତୀୟ ବର୍ଷରେ ପ୍ରତିମାସରେ ଭଡ଼ା ବାବଦରେ ୧.୫୭ ଲକ୍ଷ ଟଙ୍କା ପ୍ରଦାନ କରୁଥିଲେ । ତୃତୀୟ ବର୍ଷରେ ପ୍ରତିମାସରେ ୧.୬୫ ଲକ୍ଷ ଆଦାୟ କରି ମୋଟ ୫୬.୬୪ ଲକ୍ଷ ଲାଭ କରିଛନ୍ତି ସଲମାନ ଖାନ୍ । କେବଳ ନିବେଶ ଉଦ୍ଦେଶ୍ୟରେ ଏହି ଆପାର୍ଟମେଣ୍ଟ କିଣିଥିଲେ ସଲମାନ ଖାନ୍ । ଏଣୁ ଏହାକୁ ଏବେ ସେ ବିକ୍ରି କରିବାକୁ ମନସ୍ଥ କରିଥିଲେ ।

ସଲମାନ ଖାନ ଏହି ଆପାର୍ଟମେଣ୍ଟକୁ ୫.୩୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।  ପ୍ରାୟ ୧୩୧୮ ବର୍ଗ ଫୁଟ ପରିସୀମା ବିଶିଷ୍ଟ ଏହି ଆପାର୍ଟମେଣ୍ଟ ଚୁକ୍ତିରେ ତିନୋଟି କାର ପାର୍କିଂ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ଡିଲ୍‌ରେ  ୩୨.୦୧ ଲକ୍ଷ ଟଙ୍କାର ଷ୍ଟାମ୍ପ ଫି ଏବଂ ୩୦,୦୦୦ ଟଙ୍କାର ପଞ୍ଜିକରଣ ଫି ଅନ୍ତର୍ଭୁକ୍ତ । ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଥିବା ବାନ୍ଦ୍ରାର ଏହି ଅଞ୍ଚଳରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ, ଐତିହ୍ୟ ବଙ୍ଗଳା ରହିଛି, ଯାହା ନିବେଶକଙ୍କୁ ଏଠାକୁ ଆକର୍ଷିତ କରିଥାଏ । ଏହି ଅଞ୍ଚଳ ଏକ୍ସପ୍ରେସ୍‌ ହାଇୱେ, ବାନ୍ଦ୍ରା ରେଳ ଷ୍ଟେସନ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ, ଲୋୟର ପରେଲ ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ନିକଟରେ ଅବସ୍ଥିତ ।

ସଲମାନଙ୍କ କଥା କହିଲେ ସେ ପ୍ରତି ବର୍ଷ ଅନ୍ୟାନ୍ୟ ରିୟଲ ଇଷ୍ଟେଟ୍‌ ନିବେଶରୁ ୧୨ କୋଟିରୁ ଅଧିକ ଟଙ୍କା ଆୟ କରନ୍ତି । ସେ ନିଜ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ୍‌ରେ ରହି ଆସୁଛନ୍ତି । ସଲ୍‌ମାନ୍‌ଙ୍କ ଆଗାମୀ ଫିଲ୍ମ କଥା କହିଲେ ସେ 'ବ୍ୟାଟେଲ୍‌ ଅଫ୍‌ ଗଲ୍‌ୱାନ୍‌' ପ୍ରୋଜେକ୍ଟରେ ନଜର ଆସିବେ । ଯେଉଁଥିରେ ସେ ଜଣେ କଲୋନେଲ୍‌ ଭୂମିକାରେ ନଜର ଆସିବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ସଲମାନ ଖାନ୍‌ ।