କନକ ବ୍ୟୁରୋ: ଜନବସତିକୁ ଜୁଆରରୁ ରକ୍ଷା କରିବାକୁ ଲୁଣି  ବନ୍ଧର ହୋଇଥିଲା ପରିକଳ୍ପନା। ଅନେକ ସ୍ଥାନରେ ଚାଷ ଜମିର ସୁରକ୍ଷାକବଚ ସାଜିଛି ସାଲାଇନ ବନ୍ଧ। କିନ୍ତୁ ବାଲିକୁଦା ସ୍ଥିତ ନାହରଣା ମୁଗୁରାନାଳ ଠାରୁ ବନ୍ଦର ପର୍ଯ୍ୟନ୍ତ ପରିବ୍ୟାପ୍ତ ଦେବୀ ନଦୀର ମୁହାଣରେ ଥିବା ଅଧପନ୍ତରିଆ ଲୁଣି ବନ୍ଧ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତାର କାରଣ ପାଲଟିଛି। ଚାଷ ଜମିକୁ ଲୁଣି ପାଣି ନଷ୍ଟ କରୁଛି, ଜନବସତିକୁ ଜୁଆର ପାଣି ମାଡୁଛି। ଜୁଆର ବଢିବା କ୍ଷଣି ୩୧ କୋଟି ଟଙ୍କା ଲୁଣି ପାଣିରେ ଉବୁଟୁବୁ ହେଉଛି। ଠିକାସଂସ୍ଥାର ମନମାନି ଓ ପ୍ରଶାସନର ଉଦାସୀନତା ପାଇଁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି ଲୁଣି ବନ୍ଧ। 

Advertisment

କେବେ ସମ୍ପୂର୍ଣ୍ଣ ହେବ ଲୁଣି ବନ୍ଧ?

  • ୨୦୧୯ରେ ଲୁଣି ବନ୍ଧ ନିର୍ମାଣ ପାଇଁ ହୋଇଥିଲା ଟେଣ୍ଡର
  • ୨୦୨୦ରେ କ୍ଲାସିକ ସୁପର କନଷ୍ଟ୍ରକସନ ଆଣ୍ଡ ଡେଭଲପର ପ୍ରାଇଭେଟ ଲିମିଟେଡ ସଂସ୍ଥା ଆରମ୍ଭ କରିଥିଲା କାମ
  • ୨୫ ପ୍ରତିଶତ କାମ କରି ଠିକା ସଂସ୍ଥା ମାରିଥିଲା ଛୁ

ଠିକା ସଂସ୍ଥା ଚାଲିଯିବା ପରେ ଏବେ ଲୁଣି ବନ୍ଧ କେବେ ସମ୍ପୂର୍ଣ୍ଣ ହେବ ତାହା ସନ୍ଦେହରେ।

ଅଧପନ୍ତରିଆ ସାଲାଇନ ବନ୍ଧ ବାବଦରେ ଅବଗତ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ, ସମ୍ପୃକ୍ତ ଠିକାସଂସ୍ଥାକୁ ବ୍ଲାକଲିଷ୍ଟ କରିବା ସହ ଜରିମାନା ଆଦାୟ କରିବ ଜିଲ୍ଲା ପ୍ରଶାସନ। ଏପରିକି ନୂଆ ଠିକା ସଂସ୍ଥା ଦ୍ବାରା ଲୁଣି ବନ୍ଧକୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଗୋଟିଏ ପଟେ ସମୁଦ୍ର ଜନବସତି ମୁହାଁ ହେଉଛି। ଅନ୍ୟପଟେ ଲୁଣି ବନ୍ଧ ନିର୍ମାଣ ଅଧପନ୍ତରିଆ ହୋଇ ପଡି ରହିଥିବାରୁ ୧୦ ଗାଁର ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ନୂଆ ସରକାରରେ କେବେ ଏ ଲୁଣି ବନ୍ଧ ପୂର୍ଣ୍ଣାଙ୍ଗ ରୂପ ପାଇବ ତାହା ଉପରେ ନଜର ରହିଛି।