କନକ ବ୍ୟୁରୋ : ରଥଯାତ୍ରା ସୁରକ୍ଷାରେ କୌଣସି ତ୍ରୁଟି ହେବନି । କୁମ୍ଭମେଳା ପରେ ବଡ଼ ଧାର୍ମିକ ସମାବେଶ ହେଉଥିବାରୁ ସମସ୍ତେ ସଜାଗ । ସ୍ନାନଯାତ୍ରା ଲାଗି ଆଜି ଏସ୍ପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେପଟେ ବଡ଼ଦାଣ୍ଡରେ ମଦ, ମାଂସ ବିକ୍ରି ଉପରେ ରୋକ୍ ଲଗାଇବାକୁ ସରକାର ନିୟମ ଆଣିବାକୁ ଯାଉଛନ୍ତି ।
ତୀର୍ଥ କ୍ଷେତ୍ର ପୁରୀକୁ ନେଇ ବଡ଼ ଯୋଜନା କରିଛନ୍ତି ସରକାର । ଶ୍ରୀମନ୍ଦିରରୁ ୨ କିଲୋମିଟର ଯାଏଁ ରହିବନି ବାର୍ କି ମଦ ଦୋକାନ । ବଡ଼ ଦାଣ୍ଡରେ ବି ବିକ୍ରି ହୋଇପାରିବନି ଆମିଷ । ରଥଯାତ୍ରା ଭିଡ଼ ନେଇ ଆଲୋଚନା ବେଳେ ଆଜି ଏମିତି ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଅବକାରୀ ନୀତିରେ ଚିତ୍ର ସ୍ପଷ୍ଟ ହେବ । ଏଥିସହ କୋଭିଡ୍ ନିୟମ ମାନି ରଥଯାତ୍ରା ହେବ ବୋଲି ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ୪୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏଥର ପୁରୀ ଆସିପାରନ୍ତି ।
ସୋମବାର ଆଇନମନ୍ତ୍ରୀ ରଥଯାତ୍ରା ନେଇ ସମୀକ୍ଷା କରିବେ । ସେପଟେ ତିନିରଥ ପାଞ୍ଚ ଦଣ୍ଡାରେ ଆଗ ଆଣି, ପଛ ଆଣି ଗରଗରା ପଡ଼ି ଦଣ୍ଡାର ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ପୋଲ ଗୟଳ ମୋଡ଼ା ଶେଷ ହୋଇଛି । ମହାରଣା ଓ ଭୋଇ ସେବକଙ୍କ ସହଯୋଗରେ ପାର୍ଶ୍ଵ ଦଣ୍ଡାମାନଙ୍କରେ ୩ଟି ଲେଖାଏଁ ଜଳଯନ୍ତ୍ର ଓ ଦୁଇଟି ଲେଖାଏଁ କୋଣ ଗୁଜ ଖଞ୍ଜି ତା’ଉପରେ ନିରାଡ଼ି ସଂଯୋଗ ଶେଷ କରିଛନ୍ତି ।