କନକ ବ୍ୟୁରୋ: କଂଗ୍ରେସ ନୁହେଁ ବରଂ ବିଜେପିର ହାତ ଥିଲା ବହୁ ଚର୍ଚ୍ଚିତ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନ ପଛରେ । ଏନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଲମ୍ପିକ ରେସଲର ସାକ୍ଷୀ ମଲିକ। ନିଜ ବାଇଗ୍ରାଫି ବୁକ୍ ୱିଟନେସ ଉପରେ ସାକ୍ଷାତକାର ବେଳେ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନ ପଛର କଥା କହିଛନ୍ତି ସାକ୍ଷୀ । ଆନ୍ଦୋଳନ ପାଇଁ ବିଜେପି ନେତ୍ରୀ ତଥା କୁସ୍ତିଯୋଦ୍ଧା ବବିତା ଫୋଗାଟ୍ ଉସକାଇଥିବା କହିଛନ୍ତି ସାକ୍ଷି ।
ବହୁ ଚର୍ଚ୍ଚିତ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନର ଗୁମର ଖୋଲିଲେ ସାକ୍ଷୀ ମଲିକ । ଭାରତୀୟ କୁସ୍ତିଯୋଦ୍ଧା ଏବଂ ବିଜେପି ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦ ନୂଆ ମୋଡ଼ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ। ବିଜେପି ନେତ୍ରୀ ବବିତା ଫୋଗାଟ କୁସ୍ତିଯୋଦ୍ଧାମାନଙ୍କୁ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଉସକାଇଥିବା ସେ କହିଛନ୍ତି। ବବିତା ଫୋଗାଟ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ହେବାକୁ ଚାହୁଁଥିବାରୁ ଏପରି କରିବାକୁ କହିଥିବା ସାକ୍ଷୀ ମଲିକ କହିଛନ୍ତି।
ପ୍ରଦର୍ଶନ ପଛରେ ନଥିଲା କଂଗ୍ରେସର ଭୂମିକା
ବିଜେପି ନେତ୍ରୀଙ୍କ ଟାର୍ଗେଟରେ ଥିଲେ ବ୍ରିଜଭୂଷଣ!
ସାକ୍ଷୀ ମଲିକ କହିଛନ୍ତି, ଦୁଇ ଜଣ ବିଜେପି ନେତାଙ୍କ ଇଙ୍ଗିତରେ ଆନ୍ଦୋଳନ ହୋଇଥିଲା । ସମସ୍ୟା ଆଗରୁ ରହିଥିଲା କିନ୍ତୁ ଏହାକୁ ବିବାଦୀୟ ପ୍ରସଙ୍ଗ କରିଥିଲେ ବବିତା । ମହିଳା ବୋଲି ଆମେ ତାଙ୍କୁ ସମର୍ଥନ କରିଥିଲୁ । ବ୍ରିଜଭୂଷଣଙ୍କ ସହିତ ଯଦି ବିବାଦ ରହିଥାନ୍ତା ତେବେ ଭିନେସ ଫୋଗାଟ କେବେ ବି ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚିପାରିନଥାନ୍ତେ । ସେପଟେ ସାକ୍ଷୀଙ୍କ ଖୁଲାସାକୁ ନେଇ ଏଯାବତ କୌଣସି ପ୍ରତିକ୍ରିୟା ରଖିନାହିନ୍ତି ବବିତା ଫୋଗାଟ୍ ।
ତେବେ ଗତବର୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡିନ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ମହିଳା କୁସ୍ତିଯୋଦ୍ଧା। ହରିୟାଣାରୁ ଆରମ୍ଭ ହୋଇଥିବା ବିବାଦର ନିଆଁ ଦିଲ୍ଲୀରେ ପହଁଚିଥିଲା । ଏହି ଆନ୍ଦୋଳନକୁ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତଙ୍କ ସମର୍ଥନ ମିଳିବା ସହ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରିଥିଲେ । ଚାପ ବଢ଼ିବାରୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବ୍ରିଜଭୂଷଣ। ଏଥିସହ ତାଙ୍କୁ କୁସ୍ତିସଂଘର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଯାଇଥିଲା। କିନ୍ତୁ ଏବେ ସାକ୍ଷୀ ମଲିକଙ୍କ ଚାଞ୍ଚଲ୍ୟକର ବୟାନ ପରେ ପୁରା ବିବାଦ ନୂଆ ମୋଡ ନେଇଛି ।