କନକ ବ୍ୟୁରୋ : ୧୯୮୪ ଶୀଖ୍ ବିରୋଧୀ ଦଙ୍ଗା ଓ ହତ୍ୟା ସହିତ ଜଡିତ ମାମଲାରେ କଂଗ୍ରେସର ପୂର୍ବ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ରାଓଜ ଏଭିନ୍ୟୁ କୋର୍ଟ। ଏନେଇ ଆସନ୍ତା ୧୮ ତାରିଖରେ ମାନ୍ୟବର କୋର୍ଟ ଦଣ୍ଡବିଧାନ କରିବେ ।
ଏହି ମାମଲାରେ ୧୯୮୪ ମସିହା ନଭେମ୍ବର ପହିଲାରେ ଦିଲ୍ଲୀର ସରସ୍ୱତୀ ବିହାର ନିକଟରେ ଜଣେ ଶୀଖ୍ ପିତା ଓ ତାଙ୍କ ପୁଅକୁ ହତ୍ୟା କରିବା ନେଇ ରୁଜୁ ହୋଇଥିଲା । ଏହି ହତ୍ୟା ମାମଲାରେ ସଜ୍ଜନ କୁମାରଙ୍କ ଉପରେ ଭିଡର ନେତୃତ୍ୱ ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ହୋଇଥିଲା କି, ଭିଡକୁ ସଜ୍ଜନ କୁମାର ପ୍ରୋତ୍ସାହିତ କରିଥିଲେ ଓ ଭିଡ ହିଂସା ଭିତରେ ୨ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ପୀଡତଙ୍କ ଘରକୁ ଜାଳି ଦିଆଯାଇଥିଲା ।
୧୯୮୪ ମସିହା ନଭେମ୍ବର ମାସରେ ଜସୱନ୍ତ ସିଂ ଓ ତାଙ୍କ ପୁଅଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ଏନେଇ ପଞ୍ଜାବୀ ବାଗ୍ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ଯାଂଚ ଟିମ୍ ଏହି ମାମଲାର ଯାଂଚ ନିଜ ହାତକୁ ନେଇଥିଲା । ୨୦୨୧ ଡିସେମ୍ବର ୧୬ ତାରିଖରେ କୋର୍ଟ ସଜ୍ଜନ କୁମାରଙ୍କ ବିରୋଧରେ ଅଭିଯୋଗ ସ୍ଥିର କରିଥିଲା ।