କନକ ବ୍ୟୁରୋ: ଆଜି ନୂଆଁଖାଇ । ଏହିଦିନ ନବାନ୍ନ ଭୋଜନ କରାଯାଏ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଗାଦିରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଛି ନୂଆଁଖାଇ ପର୍ବ। ସାଧୁସନ୍ଥ ଓ ଭକ୍ତ ଏକାଠି ବସି ନବାନ୍ନ ଖାଇ ପାଳିଛନ୍ତି ନୂଆଁଖାଇ।
କାମାକ୍ଷାନଗର ମହିମାଗାଦିରେ ବେଶ ଧୁମଧାମରେ ପାଳିତ ହୋଇଛି ନୂଆଁଖାଇ। ବହୁ ସଂଖ୍ୟାରେ ମହିମା ଭକ୍ତ ଏକାଠି ହୋଇ ନୂଆବସ୍ତ୍ର ପିନ୍ଧି ଭଜନ ଓ କୀର୍ତ୍ତନ କରିଥିଲେ। ଆଠଗଡ଼ରୁ ଏଠାକୁ ଆସିଥାଏ ନୂଆ ଧାନ। ସେଥିରୁ ପ୍ରସ୍ତୁତ ଚୁଡ଼ାରେ ଫଳମୂଳ, କ୍ଷୀର, ଗୁଡ଼ ମିଶାଇ ପ୍ରସ୍ତୁତ ହୁଏ ନବାନ୍ନ। ନବାନ୍ନକୁ ନୂଆ ମାଟିପାତ୍ରରେ ମୁଣିଆ ମଣ୍ଡପରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରାଯାଏ। ପରେ ମହିମା ସାଧୁ ଓ ଭକ୍ତ ଏକାଠି ବସି କଦଳୀ ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି।
ଯୋରନ୍ଦା ମହିମା ଗାଦୀ ରେ ପ୍ରଥମେ ନୂଆଁଖାଇ ପାଳନ ପରେ କାମାକ୍ଷାନଗର ମହିମା ଗାଦିରେ ପାଳନ କରାଯାଏ। ୧୮୬୨ରୁ ଚାଳଘରେ ଏହି ପର୍ବ ପାଳନ ହେଉଥିଲା। ୧୮୭୫ରେ ନୂଆ ଆଶ୍ରମ ନିର୍ମାଣ ପରଠୁ ପ୍ରତ୍ୟେକ ବର୍ଷ ଏଠାରେ ରୀତିନୀତି ଅନୁଯାୟୀ ପାଳନ ହେଉଛି ନୂଆଁଖାଇ।
ନୂଆଁଖାଇକୁ ମହିମା ଧର୍ମାବଲମ୍ବୀ ଭକ୍ତ ବାର୍ଷିକ ଉତ୍ସବ ଭାବେ ପାଳନ କରିଥାନ୍ତି। ବର୍ଷର ପ୍ରଥମ ଧାନକୁ ଅଲେଖ ମହିମାଙ୍କୁ ଅର୍ପଣ କଲେ ଧାନ ଭଲ ଅମଳ ହୁଏ ବୋଲି ରହିଛି ବିଶ୍ବାସ।