କନକ ବ୍ୟୁରୋ: ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଜୋରଦାର ଆନ୍ଦୋଳନ ଚାଲିଛି । ମାସେରୁ ଅଧିକ ସମୟ ଧରି କଲେଜର ଛାତ୍ରୀ ଓ ପୂର୍ବତନ ଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି । ଏନେଇ ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନା ସଫଳ ହୋଇନାହିଁ ବୋଲି ଛାତ୍ରୀମାନେ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ପ୍ରଥମେ ଜମି ସମସ୍ୟା ସମାଧାନ ଓ କଲେଜର ଉନ୍ନତୀକରଣ କରାଯିବ । ଏହାପରେ ଅନ୍ୟାନ୍ୟ ସମସ୍ୟାର ସମାଧାନ ହେବ ।
                 

Advertisment

                   ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି
                   ଜାରି ରହିଛି ଆନ୍ଦୋଳନ, ବାହାରୁନି ନିଷ୍କର୍ଷ

ମୁଖ୍ୟମନ୍ତ୍ରୀ ରାଜ୍ୟ ବଜେଟରେ ୪ଟି ନୂଆ ବିଶ୍ଵବିଦ୍ୟାଳୟ ଘୋଷଣା କରିବା ପରେ ଗତ ଶନିବାର ଠାରୁ ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜୋରଦାର ହୋଇଛି । ଛାତ୍ରୀମାନଙ୍କୁ ସମର୍ଥନ କରି ପୁରାତନ ଛାତ୍ରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ, କଲେଜର କିଛି ଛାତ୍ରୀ, ପୁରାତନ ଛାତ୍ରୀ, କଟକ ବିଜେପି ସଭାପତି ଓ ବିଜେପି ନେତା ଶ୍ରୀତମ ଦାସ ଉପସ୍ଥିତ ଥିଲେ। ହେଲେ ଏହି ଆଲୋଚନା ବିଫଳ ହୋଇଛି । ଦାବିକୁ ଏଡ଼ାଇ ଯାଇ ଜିଲ୍ଲାପାଳ କେବଳ ଜମି ସମସ୍ୟା ଓ କଲେଜର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କଲେ ବୋଲି ଛାତ୍ରୀମାନେ କହିଛନ୍ତି ।

ଅଧିକ ପଢ଼ନ୍ତୁ : ମୁରବିହୀନ ହେଲା ମାଓ ସଙ୍ଗଠନ; ମାଓ ମହାସଚିବ ଥିପୁରୀ ତିରୁପତି ଓରଫ ଦେବଜୀଙ୍କ ଆତ୍ମସମର୍ପଣ

ଜିଲ୍ଲାପାଳ କହିଛନ୍ତି, ଜାଗା ଅସୁବିଧା ଥିବା ହେତୁ ସମସ୍ୟା ହେଉଛି । ପ୍ରଥମେ ଜମି ସମସ୍ୟା ଓ କଲେଜର ଉନ୍ନତୀକରଣ କରାଯିବ। ଏହାପରେ ଅନ୍ୟାନ୍ୟ ସମସ୍ୟାର ସମାଧାନ ହେବ । କଲେଜ ନାଁରେ ଜମି ନଥିବାରୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଅସୁବିଧା ହେଉଛି । ଏ ବିଷୟରେ ସରକାରଙ୍କ ସହିତ ପ୍ରାଥମିକ ଆଲୋଚନା ହୋଇଛି। ଧାରଣା ନ ଦେବା ପାଇଁ ଛାତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କେବେ ଛାତ୍ରୀଙ୍କ ଦାବି ପୂରଣ ହେଉଛି,  କେବେ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳୁଛି ତାକୁ ହିଁ ଅପେକ୍ଷା ।