କନକ ବ୍ୟୁରୋ : ସେଲ୍, ରାଉରକେଲା ଇସ୍ପାତ କାରଖାନାରେ ଜିଏମ୍ ଏବଂ ଡି ଜି ଏମ୍ ପଦବୀକୁ ପଦୋନ୍ନିତ ଅଧିକାରୀମାନେ ଜୁଲାଇ ୧ ତାରିଖ ଦିନ ମନ୍ଥନ ସମ୍ମିଳନୀ କକ୍ଷ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଆଇସିଙ୍କ ଠାରୁ ସେମାନଙ୍କର ପଦୋନ୍ନତି ପତ୍ର ଗ୍ରହଣ କରିଥିଲେ । ଆରଏସପି ଏବଂ ଡିଏସପିର ଡିଆଇସି ଶ୍ରୀ ଆଲୋକ ବର୍ମା ଜିଏମ୍ ପଦବୀକୁ ଉନ୍ନୀତ ହୋଇଥିବା ମୋଟ ୨୩ ଜଣ ଅଧିକାରୀ ଏବଂ ଡିଜିଏମ ଭାବେ ପଦୋନ୍ନତି ପାଇଥିବା ୪୧ ଜଣ ଅଧିକାରୀଙ୍କୁ ପଦୋନ୍ନତି ପତ୍ର, ମିଷ୍ଟାନ୍ନ ଏବଂ 'ଦି ଆର୍ଟ ଅଫ୍ ଥ୍ରିଂ କ୍ଲିଅରଲି' ପୁସ୍ତକ ପ୍ରଦାନ କରିଥିଲେ ।
ଏହି ଅବସରରେ ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତରୁଣ ମିଶ୍ର, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ବିଶ୍ୱ ରଞ୍ଜନ ପଲାଇ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଅନିଲ କୁମାର, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏମ୍ ପି ସିଂହ, ଏବଂ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ସିଏମ୍ଓ ଇନ ଚାର୍ଜ ଡକ୍ଟର ଜେ କେ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଡିଆଇସି ଶ୍ରୀ ବର୍ମା ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କର ପଦୋନ୍ନତି ପାଇଁ ଅଭିନନ୍ଦନ ଜଣାଇବା ସହିତ ଅଧିକାରୀମାନଙ୍କୁ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ସାହସିକତାର ସହ ନିଷ୍ପତ୍ତି ନେବାକୁ ମଧ୍ୟ ଉତ୍ସାହିତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ "ନୂତନ ପଦୋନ୍ନତି ଆପଣଙ୍କ କାନ୍ଧରେ ଏକ ବୃହତ ଦାୟିତ୍ଵ ଆଣିଥାଏ । ଆପଣଙ୍କ ନିୟମିତ କାର୍ଯ୍ୟ ସତ୍ତ୍ୱେ ଆଜିଠାରୁ ଆପଣଙ୍କର ଆଗ୍ରହ ଆପଣଙ୍କୁ ପ୍ରେରଣା ଦେବା ଉଚିତ ଏବଂ ପ୍ରତିଦିନ ଉନ୍ନତିର ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ" ।
ଡିଆଇସି ବରିଷ୍ଠ ଅଧିକାରୀମାନଙ୍କୁ ସାହସ, ସାଧୁତା ଏବଂ ଦୃଢ଼ତାର ସହ ନେତୃତ୍ଵ ଗ୍ରହଣ କରିବାକୁ ମଧ୍ୟ ଉତ୍ସାହିତ କରିଥିଲେ । ଶ୍ରୀ ବର୍ମା ୨୦୩୦ ମସିହା ସୁଦ୍ଧା ସେଲକୁ ଦେଶର ସବୁଠାରୁ କମ ମୂଲ୍ୟର ଇସ୍ପାତ ଉତ୍ପାଦକ ରୂପେ ଗଢିବାରେ ଅଧିକାରୀଙ୍କ ଏକ ପ୍ରମୁଖ ଭୂମିକା ରହିବ ବୋଲି ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବିଭାଗର ନିର୍ବାହୀ ନିର୍ଦ୍ଦେଶକମାନେ ପଦୋନ୍ନତି ପାଇଥିବା ଜି ଏମ୍ ଏବଂ ଡି ଜି ଏମ୍ ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହିତ କମ୍ପାନିର ଲକ୍ଷ୍ୟ ପୂରଣ କରି ସେମାନଙ୍କ ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ଉତ୍ସାହିତ କରିଥିଲେ ।
ନୂତନ ଭାବରେ ପଦୋନ୍ନତି ପାଇଥିବା ବହୁ ଅଧିକାରୀ ସେମାନଙ୍କ ପ୍ରୟାସକୁ ସ୍ୱୀକୃତି ଦେବା ପାଇଁ ସେଲ ପ୍ରବନ୍ଧନ ଠାରେ କୃତଜ୍ଞତା ପ୍ରକାଶ କରିଥିଲେ । ସେମାନେ ଇସ୍ପାତ କାରଖାନାର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏଚଆର୍ ବିଭାଗର ଜିଏମ୍ ଶ୍ରୀ ଏସ୍ ବଡ଼ପଣ୍ଡା ଏବଂ ଡେପୁଟି ମ୍ୟାନେଜର ସୁଶ୍ରୀ ସିମ୍ପି ପଟେଲ ସଂଯୋଜନା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ୧୯୦ ଜଣ ଅଧିକାରୀ ଏବଂ ୧୦୪୭ ଜଣ କର୍ମଚାରୀ ମାନଙ୍କୁ ଗତକାଲି ପରବର୍ତ୍ତୀ ଉଚ୍ଚ ଗ୍ରେଡକୁ ପଦୋନ୍ନତି ଦିଆଯାଇଛି । କାରଖାନାରେ ଆୟୋଜିତ ଏଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଇଡି, ସିଜିଏମ ଏବଂ ଏଚ୍ଓଡିମାନଙ୍କ ଦ୍ୱାରା ପଦୋନ୍ନତି ପତ୍ର ପ୍ରଦାନ କରାଯାଇଥିଲା ।