କନକ ବ୍ୟୁରୋ : ସେଲ୍ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (RSP) ଦ୍ବାରା ପରିଚାଳିତ ସେଲ୍ ହକି ଏକାଡେମିରେ କ୍ୟାଡେଟ୍ ନାମଲେଖା ପାଇଁ ଚୟନ ପରୀକ୍ଷଣ ୧୫ ରୁ ୧୮ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୩୫ ଜଣ ପ୍ରାର୍ଥୀ ଯୋଗ୍ୟତା ପରୀକ୍ଷା ପାଇଁ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ ୭୮ ଜଣ ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ୟାଟେରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ମନୋନୀତ ପ୍ରାର୍ଥୀଙ୍କ ତାଲିକା ଖୁବଶୀଘ୍ର ଘୋଷଣା କରାଯିବ । ଚୟନ କମିଟିରେ ଅଲମ୍ପିଆନ୍ ବୀରେନ୍ଦ୍ର ଲାକ୍ରା , ସେଲ୍ ହକି ଏକାଡେମୀର ପ୍ରଶିକ୍ଷକ ଶ୍ରୀ ରାଜୁକାନ୍ତ ସାଇନି , ସେଲ୍ – କର୍ପୋରେଟ୍ ଅଫିସର ପରିଚାଳକ (କ୍ରୀଡ଼ା) ଶ୍ରୀ ଭି.ଅରବିନ୍ଦ , ଓଡ଼ିଶା ସରକାରଙ୍କ ମନୋନୀତ ପ୍ରଶିକ୍ଷକ ଶ୍ରୀ କେ. ଚୌଧୁରୀ ଏବଂ ଆରଏସପିର ଉପପ୍ରବନ୍ଧକ (କ୍ରୀଡ଼ା) ଶ୍ରୀ ରଘୁନନ୍ଦନ ପାଢ଼ି ସାମିଲ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଖେଳାଳୀମାନେ ମନୋନୀତ ହୋଇ ଏକାଡେମୀ ଅଧୀନକୁ ଆସିବା ପରେ ଖେଳରେ ସେମାନଙ୍କର ଧ୍ୟାନ ଯେପରି ସମ୍ପୂର୍ଣ୍ଣ କେନ୍ଦ୍ରିତ ହେବ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଯତ୍ନ ନିଆଯାଇଥାଏ । ଏଠାରେ କ୍ୟାଡେଟମାନଙ୍କୁ ଏକାଡେମୀ ପକ୍ଷରୁ ମାଗଣାରେ ରହିବା , ମାସିକ ବୃତ୍ତି , ସୁଷମ ଖାଦ୍ୟ, ଶିକ୍ଷା ଏବଂ ଅତ୍ୟାଧୁନିକ ଜିମନାସିୟମ ଆଦି ସୁବିଧା ଯୋଗାଇ ଦିଆଯାଇଥାଏ । ସେମାନଙ୍କୁ ଖେଳ କିଟ୍ ସମେତ ଆରଏସପି ହସ୍ପିଟାଲରେ ମାଗଣା ଚିକିତ୍ସା , ସ୍ଥାନୀୟ ସ୍କୁଲ୍ ଓ କଲେଜରେ ଶିକ୍ଷା ସହାୟତା , ତାଲିମ ସମୟରେ ବୀମା ସୁବିଧା ଏବଂ ବର୍ଷକରେ ଥରେ ପିତାମାତା କିମ୍ବା ଅଭିଭାବକମାନଙ୍କ ପାଖକୁ ଯିବା ପାଇଁ ବସ୍ ଭଡ଼ା କିମ୍ବା ଟ୍ରେନ୍ ଭଡ଼ା ଆଦି ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥାଏ ।
ଏତଦବ୍ୟତୀତ, କ୍ୟାଡେଟମାନେ ବହୁ ଗୁରୁତ୍ବପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ୍ ଖେଳିବାର ସୁଯୋଗ ପାଇ ପାରନ୍ତି ଯାହା ସେମାନଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥାଏ । ଆରଏସପିର ସେଲ୍ ହକି ଏକାଡେମୀ ଦଳ କେବଳ ଜାତୀୟ ସ୍ତରରେ ନୁହେଁ , ଅନ୍ତର୍ଜାତୀୟ ହକି କ୍ଷେତ୍ରରେ ମଧ୍ୟ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଟୋକିଓ ଅଲମ୍ପିକରେ ବ୍ରୋଞ୍ଜପଦକ ବିଜେତା ଭାରତୀୟ ହକି ଦଳର ଉପଅଧିନାୟକ , ବିରେନ୍ଦ୍ର ଲାକ୍ରା ସେଲ୍ ହକି ଏକାଡେମୀର ପୁରାତନ କ୍ୟାଡେଟ୍ ଅଟନ୍ତି ।