କନକବ୍ୟୁରୋ : ସୈଫଙ୍କୁ ଛୁରାମାଡ କରିଥିବା ଅଭିଯୁକ୍ତ ବିରୋଧରେ ମିଳିଲା ବଡ଼ ପ୍ରମାଣ । ପୁଲିସ ତଦନ୍ତ ବେଳେ ଅଭିଯୁକ୍ତ ମହମ୍ମଦ ଶରିଫୁଲ ସେହଜାଦର ଫିଙ୍ଗରପ୍ରିଣ୍ଟ ସୈଫଙ୍କ ଘରେ ବିଭିନ୍ନ ଆସବାପାତ୍ରରେ ଲାଗିଥିବା ସ୍ପଷ୍ଟ ହୋଇଛି । ପୁଲିସ ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ ସହ ଫିଙ୍ଗରପ୍ରିଣ୍ଟ ଯାଂଚ ବେଳେ ଏକଥା ସାମ୍ନାକୁ ଆସିଛି । ଏବେ ଅଭିଯୁକ୍ତ 5 ଦିନିଆ ରିମାଣ୍ଡ ରହିଛି ।
ଆକ୍ରମଣ ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୁଲିସ ଅଭିଯୁକ୍ତକୁ ଅଧିକ ପଚରା ଉଚରା କରୁଛି । ସେପଟେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ତେଜିବାରେ ଲାଗିଛି ମହାରାଷ୍ଟ୍ର ରାଜତୀତି। ବିଜେପି ନେତା ତଥା କ୍ୟାବିନେଟ ମନ୍ତ୍ରୀ ନୀତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇ ବିବାଦ ଘେରକୁ ଆସିଛନ୍ତି ।
ପ୍ରକୃତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନା ସେ କେବଳ ଅଭିନୟ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ ନୀତେଶ। ଏହା ପରେ ବିରୋଧୀ ଦଳର ନେତା ମାନେ ସରକାରଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି । ସେପଟେ ମାମଲା ସମ୍ପର୍କରେ କିଛି ଜାଣିବାକୁ ଥିଲେ ନୀତେଶ ରାଣେ ବିଭାଗ ସହ ଆଲୋଚନା କରନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ସେହିପରି ଉଭୟ ସାଧାରଣ ଜନତା ଓ ଅଭିନେତା ସମସ୍ତେ ଆମ ପାଇଁ ସମାନ, ସମସ୍ତଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ। ଏହା ପୂର୍ବରୁ ସିନ୍ଦେ ଗୋଷ୍ଠୀ ଶିବସେନା ନେତା ସଞ୍ଜୟ ନିରୁପମ ମଧ୍ୟ ସୈଫଙ୍କ ଉପରେ ଆକ୍ରମଣକୁ ନେଇ ଉଠାଇଥିଲେ ପ୍ରଶ୍ନ ।