କନକ ବ୍ୟୁରୋ: ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ମହମ୍ମହ ଶରିଫୁଲ୍ଲା ଇସଲାମ ଏବେ ପୋଲିସ ହେପାଜତରେ ଅଛି । ହେଲେ ଅଭିଯୁକ୍ତ ଗିରଫ ହେବା ପୂର୍ବରୁ ପୋଲିସ ଛତିଶଗଡର ଦୁର୍ଗ ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ଭାବେ ଗିରଫ କରିଥିଲା । ହେଲେ ପରେ ତାଙ୍କୁ ଛାଡିଦିଆଯାଇଥିଲା । ହେଲେ ସେହି ସନ୍ଦିଗ୍ଧ ଯୁବକର ଫଟୋ ସବୁ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ତାଙ୍କୁ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେ କେବେ ବି ଭାବିନଥିଲେ ବିନା ଦୋଷରେ ତାଙ୍କର ଏତେ ବଡ କ୍ଷତି ହୋଇଯିବ ।
ନ୍ୟୁଜ ମିଡିଆକୁ ପ୍ରତିକ୍ରିୟା ଦେବା ସମୟରେ ଯୁବକ ଜଣକ ପୋଲିସ ଉପରେ ନିଜ ରାଗ ବାହାର କରିଥିଲେ । ତାଙ୍କ କହିବାନୁସାରେ ପୋଲିସ ଯୋଗୁଁ ତାଙ୍କ ଜୀବନ ବର୍ବାଦ ହୋଇଗଲା । ପୋଲିସ ତାଙ୍କୁ ସନ୍ଦିଗ୍ଧ ଭାବେ ଥାନାକୁ ନେବା ପରେ ତାଙ୍କ ଜୀବନରେ ସବୁ ଓଲଟପାଲଟ ହୋଇଯାଇଥିଲା । ତାଙ୍କ ଚାକିରି ଚାଲିଗଲା ଆଉ ବିବାହ ପାଇଁ ଲାଗିଥିବା ପ୍ରସ୍ତାବ ବି ଭାଙ୍ଗିଗଲା । ତାଙ୍କ ପରିବାରକୁ ବଦନାମର ସାମ୍ନା କରିବାକୁ ପଡିଛି । ଆଉ ଏଥିପାଇଁ ସେ ଏବେ ନ୍ୟାୟ ମାଗୁଛନ୍ତି ।
ଏହି ସନ୍ଦିଗ୍ଧ ଯୁବକ ଜଣକ ହେଉଛନ୍ତି ଆକାଶ କନୌଜିୟା । ତାଙ୍କ ବୟସ 31 ବର୍ଷ ଆଉ ପେଶାରେ ସେ ଜଣେ ଡ୍ରାଇଭର । ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସଠାରୁ ସୂଚନା ମିଳିବା ପରେ ରେଲଓ୍ବେ ସୁରକ୍ଷା ବଳ 18 ଜାନୁଆରୀରେ ଦୁର୍ଗ ଷ୍ଟେସନରେ ମୁମ୍ବାଇ ଲୋକମାନ୍ୟ ତିଲକ ଟର୍ମିନସ-କୋଲକାତା ଶାଲିମାର ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଆକାଶଙ୍କୁ ଉଠାଇଆଣିଥିଲା । ପରେ ଜାନୁଆରୀ 19 ତାରିଖରେ ମୁମ୍ବାଇ ପୋଲିସ ବାଂଲାଦେଶୀ ନାଗରିକ ମହମ୍ମଦ ଶରିଫୁଲ୍ଲାକୁ ଥାଣେରୁ ଗିରଫ କରିଥିଲା । ଯାହା ପରେ ରେଲଓ୍ବେ ପୋଲିସ ଆକାଶକୁ ଛାଡିଦେଇଥିଲେ ।
ତେବେ ଏହି ଘଟଣାରେ ଯୁବକ ଜଣକ ମିଡିଆ ଆଗରେ କଣ କହିଥିଲେ ଶୁଣନ୍ତୁ...
ଯେଉଁ ମିଡିଆ ମୋ ଫଟୋ ଭାଇରାଲ କରିଥିଲା, ସେ ପୂରା ଦାବି କରିଥିଲା କି ସୈଫଙ୍କ ଉପରେ ଆକ୍ରମଣ କରିଥିବା ଯୁବକ ଜଣକ ମୁଁ । ମୋ ପରିବାର ଏହା ଜାଣି ପୂରା ସ୍ତବ୍ଧ ହୋଇଯାଇଥିଲା । ସେମାନେ କାନ୍ଦୁଥିଲେ । ମୁମ୍ବାଇ ପୋଲିସର ଗୋଟିଏ ଭୁଲ ମୋ ଜୀବନକୁ ବର୍ବାଦ କରିଦେଲା । ସେମାନେ ଏହି ଦିଗରେ ଧ୍ୟାନ ବି ଦେଲେନି କି ମୋ ନିଶ ଅଛି । ଆଉ ସୈଫଙ୍କୁ ଆକ୍ରମଣ କରିଥିବା ଯୁବକଙ୍କ ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଇଛି କି ଆକ୍ରମଣ କରିଥିବା ଯୁବକଙ୍କ ନିଶ ନାହିଁ । ଯେତେବେଳେ ମୋତେ ସେମାନେ ହେପାଜତକୁ ନେଲେ ସେତେବେଳେ ମୁଁ ମୋ ସହ ବିବାହ ହେବାକୁ ଥିବା ଝିଅକୁ ଭେଟିବାକୁ ଯାଉଥିଲି ।
ହେପାଜତକୁ ନେଲା ପରେ ପୋଲିସ ମୋତେ ରାୟପୁର ନେଇଗଲେ । ମୁମ୍ବାଇ ପୋଲିସ ମୋତେ ସେଠାରେ ମାରପିଟ କରିଥିଲା । ପୋଲିସ ହେପାଜତରୁ ବାହାରିବା ପରେ ଘରକୁ ଗଲି ହେଲେ ସେଠାରେ ପରିସ୍ଥିତି ବହୁତ ଖରାପ ଥିଲା । ଯେତେବେଳେ ମୁଁ ମୋ ମାଲିକଙ୍କୁ ଫୋନ କଲି ସେ ମୋତେ କାମକୁ ଯିବାକୁ ମନା କରିଦେଲେ । ଆଉ ବିବାହ ଲାଗିଥିବା ପ୍ରସ୍ତାବ ମଧ୍ୟ ଝିଅଘର ଭାଙ୍ଗି ଦେଇଥିଲେ । ମୋ ଭାଇ ରୋଗରେ ପଡି ଚିକିତ୍ସିତ ହେଉଥିଲେ ଆଉ ତାଙ୍କର ଦେହାନ୍ତ ହୋଇଥିଲା । ଏଥିପାଇଁ ମୋ ପରିବାର ବିରାରରେ ଥିବା ଘର ବିକି ପରେଡରେ ଥିବା ଏକ ଚାଳିଆରେ ରହୁଛନ୍ତି ।
ସତରେ ପୋଲିସର ଗୋଟିଏ ଭୁଲ ଜଣକ ଜୀବନକୁ ପୂରା ଏପଟ ସେପଟ କରି ରଖିଦେଲା । ଏବେ ଯୁବକ ଜଣକଙ୍କ କହୁଛନ୍ତି କି ସେ ସୈଫଙ୍କ ଘର ଆଗରେ ଛିଡା ହୋଇ ଚାକିରି ମାଗିବେ । କାରଣ ଯାହା ତାଙ୍କ ସହ ହୋଇଛି ସେଥିପାଇଁ ସେ ସବୁ କିଛି ହରାଇ ସାରିଛନ୍ତି ।