କନକ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ।ଏହା ଭିତରେ ପୁଲିସର ତଦନ୍ତ ଆଗକୁ ବଢ଼ିବା ସହ ଅଭିଯୁକ୍ତକୁ ରିମାଣ୍ଡରେ ପଠାଯାଇଛି । ସେପଟେ ଅଭିଯୁକ୍ତ ସରିଫୁଲ ପରିବାରର ଦାବି ମାମଲାରେ ନୂଆ ମୋଡ ନେଇଛି ।
ମୋ ପୁଅ ନିର୍ଦ୍ଦୋଷ
ଶେଖ ହସିନାଙ୍କ ପାଇଁ ଦେଶ ଛାଡ଼ିଥିଲା
ବାଂଲାଦେଶରୁ ଭାରତକୁ ଯାଇଥିଲା
ଅଭିଯୁକ୍ତର ବାପାଙ୍କ ଦାବିକୁ ନେଇ ଚହଳ
ଜାନୁଆରୀ ୧୫ ଯେବେଠୁ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ହୋଇଛି ସେବେଠୁ ମାୟାନଗରୀ ମୁମ୍ବାଇରେ ହଇଚଇ ଚାଲିଛି । ଏହା ଭିତରେ ଘଟଣାରେ ଟୁଇଷ୍ଟ ଆସିଥିଲା ଯେବେ ଅଭିଯୁକ୍ତ ବାଂଲାଦେଶୀ ବୋଲି ପୁଲିସ ତଦନ୍ତରୁ ଜଣାପଡିଥିଲା । ଏବେ ଏହି ପୂରା ଘଟଣାକ୍ରମ ନୂଆ ମୋଡ ନେଇଛି ।ଅଭିଯୁକ୍ତ ସରିଫୁଲର ପରିବାର ଦାବି ଯେ ତାଙ୍କ ପୁଅ ନିଦ୍ଦୋର୍ଷ । ସୈଫଙ୍କୁ ଆକ୍ରମଣରେ ସରିଫୁଲର କିଛି ଭୂମିକା ନାହିଁ । ସିସିଟିଭିରେ ନଜର ଆସିଥିବା ବ୍ୟକ୍ତି ତାଙ୍କ ପୁଅ ନୁହେଁ । ସରିଫୁଲକୁ ମିଛ ମାମଲାରେ ଫସା ଯାଇଛି ।
ପୁଅକୁ ମୁକୁଳାଇବା ପାଇଁ ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟକୁ ଓ ଭାରତ ସରକାରଙ୍କୁ ଅପିଲ କରିଛନ୍ତି ଅଭିଯୁକ୍ତର ବାପା ମହମ୍ମଦ ରୁହଲ ଅମୀନ ଫକିର । ପୁଅ ଗିରଫ ଘଟଣାକୁ ନେଇ ଅଭିଯୁକ୍ତଙ୍କ ବାପା ଆଉ ଏକ ବଡ ଅଭିଯୋଗ ଆଣିଛନ୍ତି ।
ହସିନାଙ୍କ ପାଇଁ ସରିଫୁଲ ଛାଡ଼ିଥିଲେ ବାଂଲାଦେଶ !
-ସରିଫୁଲ ଘର ଛାଡି ଚାଲିଯିବା ପାଇଁ ଶେଖ ହସିନାଙ୍କୁ ସେ ଦାୟୀ କରିଛନ୍ତି
-ତତକାଳୀନୀ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି
-ସରିଫୁଲ ବାଂଲାଦେଶ ନ୍ୟାସନାଲ ପାର୍ଟି ଓ ଖାଲିଦା ଜିଆଙ୍କ ସମର୍ଥକ
-ହସିନା ସରକାର ପାଇଁ ବାଂଲାଦେଶରେ ଅରାଜକତା ବଢ଼ିଥିଲା
-ଅତ୍ୟାଚାର ସହିନପାରି ପୁଅ ସରିଫୁଲ ଦେଶ ଛାଡିଥିଲା
-ଭୁଲବଶତଃ ଭାରତରେ ଅନୁପ୍ରବେଶ କରିଛି
ଜାନୁଆରୀ ୧୫ ସୈଫଙ୍କୁ ଆକ୍ରମଣ ଘଟଣାରେ ପ୍ରଥମେ ଦୁଇଜଣ ସନ୍ଦିଗ୍ଧଙ୍କୁ ମଧ୍ୟପ୍ରଦେଶ ଓ ଝାଡଖଣ୍ଡରୁ ଗିରଫ କରାଯିବା ପରେ ୧୯ ତାରିଖରେ ଥାଣେରୁ ସରିଫୁଲକୁ ଗିରଫ କରିଥିଲା ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତକୁ ପଶ୍ଚିମବଙ୍ଗ ବାସୀ କୁହାଯାଉଥିବାବେଳେ ପରେ ସେ ବାଂଲାଦେଶୀ ବୋଲି ପୁଲିସ ସ୍ପଷ୍ଟ କରିଥିଲା ।ତେବେ ଅଭିଯୁକ୍ତ ବାଂଲାଦେଶୀ ହେବା ଘଟଣାରେ ରାଜନୀତିର ରଙ୍ଗ ଲାଗିଛି ଓ ଏହା ଭିତରେ ପରିବାରର ଦାବି ନୂଆ ଟୁଇଷ୍ଟ ଆଣିଛି ।ଅନ୍ୟପଟେ ପୁଲିସ ନିକଟରେ ବୟାନ ରେକର୍ଡ କରି ଜାନୁଆରୀ ୧୫ଦିନର ପୂରା ଘଟଣା ବଖାଣିଛନ୍ତି ସୈଫ ଅଲ୍ଲୀ ଖାନ ।