କନକ ବ୍ୟୁରୋ: ସାଇ ସୁଦର୍ଶନ... ସଫଳତା କଣ ଏହି ଖେଳାଳି ତାହା ପ୍ରମାଣ କରିଛନ୍ତି । ଜଣେ ଅନକ୍ୟାପ୍ଡ ଖେଳାଳି ଯେ ଆଇପିଏଲ ୨୦୨୫ରେ ବଡ଼ ବଡ଼ ଖେଳାଳିଙ୍କ ପଛରେ ପକାଇ ଦେବେ ତାହା କେହି କେବେ ବିଶ୍ୱାସ କରିନଥିଲେ । ହେଲେ ଏହାକୁ ଏବେ ପ୍ରମାଣିତ କରିଛନ୍ତି ସାଇ ସୁଦର୍ଶନ । କେବଳ ଏତିକି ନୁହେଁ ୨୦୨୪ ଡିସେମ୍ୱର ମାସରେ ତାଙ୍କର ଏକ ଅପରେସନ ହୋଇଥିଲା । ଆଉ ୩ ମାସ ପରେ ଆଇପିଏଲରେ ସେ ଧମାଲ କରିଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । 

Advertisment

ସାଇ ସୁଦର୍ଶନ ୨୦୨୫ ଆଇପିଏଲର ଚର୍ଚ୍ଚିତ ଚେହେରା । କାରଣ ଏହି ଖେଳାଳି ଆଇପିଏଲ ୨୦୨୫ର ଅରେଞ୍ଜ କ୍ୟାପ୍ ବିଜେତା । ଯିଏ ଏହି ଆଇପିଏଲରେ ସବୁ ଖେଳାଳିଙ୍କ ଭିତରେ ସର୍ବାଧିକ ୭୫୯ କରିଛନ୍ତି । କେବଳ ଏହି ଉପଲବ୍ଧି ନୁହେଁ ଚଳିତ ଆଇପିଏଲରେ ସୁଦର୍ଶନ ଅନେକ ଉପଲବ୍ଧି ହାସଲ କରିଛନ୍ତି । ସେ ଏମର୍ଜିଂ ପ୍ଲେୟାର, ଫାଣ୍ଟାସି କିଙ୍ଗ ଅଫ ଦ ସିଜିନ୍, ଆଉ ଏହି ସିଜିନରେ ସର୍ବାଧିକ ଚୌକା ମଧ୍ୟ ମାରିଛନ୍ତି ଏହି ଖେଳାଳି । କହିବାକୁ ଗଲେ ଏହି ଆଇପିଏଲରେ ସୁଦର୍ଶନ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । 

ବର୍ତ୍ତମାନ ସାଇ ସୁଦର୍ଶନ ଆଇପିଏଲରେ ସବୁଠାରୁ କମ୍ ବୟସରେ ଅରେଞ୍ଜ କ୍ୟାପ ଜିତିଥିବା ଖେଳାଳି ହୋଇ ପାରିଛନ୍ତି । ଏହି ରେକର୍ଡ ପୂର୍ବରୁ ଶୁବମନ ଗିଲଙ୍କ ନାଁରେ ରହିଥିଲା । ଶୁବମନ ୨୦୨୩ରେ ଅରେଞ୍ଜ କ୍ୟାପ ଜିତିଥିଲେ, ସେତେବେଳେ ତାଙ୍କୁ ୨୩ ବର୍ଷ ୨୬୨ ଦିନ ହୋଇଥିଲା । ଆଉ ଏବେ ସାଇ ସୁଦର୍ଶନ ୨୩ ବର୍ଷ ୨୩୧ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏମାନଙ୍କ ପୂର୍ବରୁ ୨୦୨୧ରେ ଋତୁରାଜ ଗାଏକ୍ୱାଡ୍ ଚେନ୍ନାଇ ପାଇଁ ଖେଳି ୨୪ ବର୍ଷ ୨୫୭ ବର୍ଷରେ ଅରେଞ୍ଜ କ୍ୟାପ ହାସଲ କରିଥିଲେ । ଆଉ ଏହି ରେକର୍ଡ କରି ସେ ୨୦୦୮ରେ ପ୍ରଥମ ଆଇପିଏଲର ରେକର୍ଡ ଭାଙ୍ଗିଥିଲେ । ଯେବେ ସନ ମାର୍ଶ ୨୪ ବର୍ଷ ୩୨୮ ଦିନରେ ଅରେଞ୍ଜ କ୍ୟାପ ଜିତିଥିଲେ । ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ସାଇ ସୁଦର୍ଶନ । 

ସାଇ ସୁଦର୍ଶନ ଏହି ଆଇପିଏଲରେ ୧୫ଟି ମ୍ୟାଚ୍‌ରେ ୭୫୯ ରନ୍ କରିଛନ୍ତି । ସେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ମାରିଛନ୍ତି । ସେ ୨୦୨୨ ମସିହାରୁ ଆଇପିଏଲ୍‌ ଖେଳୁଛନ୍ତି ଏବଂ ସେବେଠାରୁ ସେ ଗୁଜରାଟ ପାଇଁ ହିଁ ଖେଳି ଆସୁଛନ୍ତି । ସେ ଏପର୍ଯ୍ୟନ୍ତ ମୋଟ ୪୦ଟି ମ୍ୟାଚ୍‌ରେ ୧୭୯୩ ରନ୍ କରିଛନ୍ତି । ଏଥିରେ ଦୁଇଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ଅଛି । ତାଙ୍କୁ ଭାରତ ପାଇଁ କେବଳ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା, କିନ୍ତୁ ସେ ସେଥିରେ ବ୍ୟାଟିଂ କରି ନଥିଲେ । ଏବେ ସାଇ ସୁଦର୍ଶନଙ୍କ ଏହି ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ବାଟ ଖୋଲିଦେଇଛି । ବର୍ତ୍ତମାନ କ୍ରିକେଟ ବିଶେଷଜ୍ଞ ତାଙ୍କୁ ଟିମ ଇଣ୍ଡିଆର ଭବିଷ୍ୟତ ଭାବରେ ଦେଖୁଛନ୍ତି ।